ବ୍ରଜଭିଲ୍: ଉଗାଣ୍ଡାରେ ବ୍ୟାପୁଛି ଇବୋଲା ଭୂତାଣୁ(Ebola virus outbreak in Uganda) । ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଏନେଇ ସ୍ପଷ୍ଟ ହୋଇଛି । ବିରଳ ସୁଡାନ ଷ୍ଟ୍ରେନ୍ ମାମଲା ସୁନିଶ୍ଚିତ ହେବା ପରେ ଉଗାଣ୍ଡାରେ ଇବୋଲା ବ୍ୟାପିବା ନେଇ ଘୋଷଣା କରାଯାଇଛି(Ebola Outbreak) ।
![Ebola outbreak: ଉଗାଣ୍ଡାରେ ବ୍ୟାପୁଛି ଇବୋଲାର ସୁଡାନ ଷ୍ଟ୍ରେନ୍, ଜଣେ ମୃତ](https://etvbharatimages.akamaized.net/etvbharat/prod-images/16453987_ebola.jpg)
ମୁବେନ୍ଦେ ନାମକ ଜଣେ 24 ବର୍ଷୀୟ ଯୁବକ ଏହି ଭୂତାଣୁରେ ସଂକ୍ରମିତ ଚିହ୍ନଟ ଏବଂ ପରେ ପ୍ରାଣ ହରାଇବା ପରେ ସେପ୍ଟେମ୍ବର 20, 2022 ରେ ଇବୋଲା ସୁଡାନ ଷ୍ଟ୍ରେନ ବ୍ୟାପୁଥିବା ସ୍ପଷ୍ଟ ହୋଇଛି । ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଡାଏନା ଆଟୱାଇନ୍ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, "ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହ ଦେଶରେ ଇବୋଲା ବ୍ୟାପୁଥିବା ଘୋଷଣା କରୁଛୁ । ଆକ୍ରାନ୍ତ ହେଉଥିବା ରୋଗୀଙ୍କର ରକ୍ତ ବାନ୍ତି ହେବା ସହ ଅତ୍ୟଧିକ ଜ୍ୱର, ଝାଡା ଏବଂ ପେଟ ଯନ୍ତ୍ରଣା ହେଉଛି ।"
ଚଳିତ ମାସ 7 ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହେବା ପରେ ଜାତୀୟ ରାପିଡ୍ ରେସପନ୍ସ ଦଳ ଅନୁସନ୍ଧାନ ପରେ ଇବୋଲା ବ୍ୟାପିବା ନେଇ ଘୋଷଣା କରିଛି । ସେପଟେ ଆଠ ଜଣ ସନ୍ଦିଗ୍ଧ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
WHO ପୂର୍ବ ବିବୃତ୍ତିରେ କହିଛି ଯେ, ଇବୋଲା ବିରୋଧରେ ବର୍ତ୍ତମାନର ଟିକା ଇବୋଲା ଜାୟେର ଷ୍ଟ୍ରେନ୍ ବିରୋଧରେ ପ୍ରଭାବଶାଳୀ, କିନ୍ତୁ ଇବୋଲା ସୁଡାନ ଷ୍ଟ୍ରେନ୍ ବିରୋଧରେ ସେମାନେ ସଫଳ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଇବୋଲା ଏକ ଗମ୍ଭୀର, ସାଂଘାତିକ ରୋଗ ଯାହା ମଣିଷଙ୍କୁ ପ୍ରଭାବିତ କରିଥାଏ । ଏହାର 6ଟି ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଅଛି, ସେଥିମଧ୍ୟରୁ ତିନୋଟି, ବୁନ୍ଦିବୁଗ୍ୟୋ ଷ୍ଟ୍ରେନ୍(Bundibugyo strain), ସୁଡାନ ଷ୍ଟ୍ରେନ୍(Sudan strain) ଏବଂ ଜାୟେର ଷ୍ଟ୍ରେନ୍(Zaire strain) ।
ଇବୋଲା ଭୂତାଣୁ କଣ ?
ଇବୋଲା ଏକ ବିପଜ୍ଜନକ ଭୂତାଣୁ ଭାବରେ ବିବେଚନା କରାଯାଏ । ଏହି ଭୂତାଣୁ ପଶୁଠାରୁ ସଂକ୍ରମିତ ହୋଇଥାଏ । ଇବୋଲାକୁ ପ୍ରତିହତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ପ୍ରସ୍ତୁତ କରାଯାଇ ନାହିଁ । ଆଫ୍ରିକାର କେତେକ ପ୍ରାଣୀ ମାଧ୍ୟମରେ ମଣିଷକୁ ଇବୋଲା ଭୂତାଣୁ ସଂକ୍ରମିତ ହୋଇଛି । ଏହା ସଂକ୍ରମିତ ପ୍ରାଣୀ କାମୁଡ଼ିବା ଦ୍ବାରା କିମ୍ବା ଖାଦ୍ୟ ଦ୍ବାରା ସଂକ୍ରମିତ ହୋଇଥାଏ । ଇବୋଲାରେ ପୀଡିତ ରୋଗୀଙ୍କ ଶରୀରରୁ ଅନ୍ୟମାନଙ୍କୁ ଝାଳ, ରକ୍ତ କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥ ମାଧ୍ୟମରେ ବ୍ୟାପିଥାଏ ।