ଲିମା: ପେରୁରେ ଭୟଙ୍କର ଅଗ୍ନିକାଣ୍ଡ । ଦକ୍ଷିଣ ପେରୁର ଏକ ଛୋଟ ସୁନା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦଶନ୍ଧି ମଧ୍ୟରେ ଏମିତି ଭୟଙ୍କର ଦୁର୍ଘଟଣା ହୋଇନଥିବା ନେଇ ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ।
ଏନେଇ ପେରୁ ସରକାର କହିଛନ୍ତି, ପେରୁର ଦକ୍ଷିଣ ଆରେକିପା ଅଞ୍ଚଳରେ ଥିବା ସୁନା ଖଣିରେ ଶନିବାର ଦିନ ହଠାତ୍ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସୁନା ଖଣିରୁ ଭୟଙ୍କର ଧୂଆଁ ବାହାରୁଥିବା ଦେଖାଦେଇଛି । ତେବେ ଏହି ଅଗ୍ନିକାଣ୍ଡରେ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ୟାନକିହୁଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଜଣେ ସ୍ଥାନୀୟ ଅଧିକାରୀ ମଧ୍ୟ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ପେରୁ ବିଶ୍ବରେ ସୁନା ଉତ୍ପାଦନରେ ପ୍ରଥମ ଏବଂ ତମ୍ବା ଉତ୍ପାଦନରେ ଦ୍ବିତୀୟରେ ରହିଛି । ପେରୁର ଶକ୍ତି ଏବଂ ଖଣି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, 2000 ମସିହାରୁ ଏହି ଘଟଣା ସବୁଠାରୁ ମର୍ମନ୍ତୁଦ ଖଣି ଦୁର୍ଘଟଣା ଅଟେ । 2022 ମସିହାରେ ସାରା ଦେଶରେ ଖଣି ଦୁର୍ଘଟଣାରେ 38 ଜଣଙ୍କର ମୃତ୍ୟୁ ଘଟିଥିଲା । 2002 ବର୍ଷ ପେରୁର ସବୁଠାରୁ ଘାତକ ବର୍ଷ ଥିଲା, ଯେତେବେଳେ ବିଭିନ୍ନ ଖଣି ଦୁର୍ଘଟଣାରେ 73 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାକୁ ନେଇ ପେରୁ ମନ୍ତ୍ରୀ ପରିଷଦ ପକ୍ଷରୁ ମଧ୍ୟ ଦୁଃଖ ପ୍ରକାଶ କରାଯାଇଛି । ଆରିକ୍ୟୁପା ୟାନାକ୍ୟୁହୁଆରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏନେଇ ମନ୍ତ୍ରୀ ପରିଷଦ ପକ୍ଷରୁ ଟ୍ବିଟ କରି କୁହାଯାଇଛି,"ଦୁର୍ଘଟଣା ଖବର ଶୁଣି ଆମେ ଦୁଃଖିତ । ୨୭ଜଣଙ୍କ ମୃତ୍ୟୁ ହୋଇଛି ଆମେ ମର୍ମାହତ । ଶୋକସନ୍ତପ ପରିବାରକୁ ଆମେ ସମବେଦନା ଜଣାଉଛୁ ।" ତେବେ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ଫଟୋ ଭିଡିଓରେ ସ୍ଥାନୀୟ ଅଞ୍ଚଳ ପୁରା ଅନ୍ଧକାର ମୟ ଦେଖାଦେଇଛି । ଧୂଆଁରେ କଳା ହୋଇଯାଇଛି ପରିବେଶ ।
ଏନେଇ ପେରୁର ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ଏତେ ସଂଖ୍ୟକ କର୍ମଚାରୀଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖିତ । ସ୍ଥାନୀୟ ପ୍ରଶାସନ ଦ୍ବାରା ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପେରୁ ସରକାରଙ୍କ ପକ୍ଷରୁ ମୃତକଙ୍କୁ ସମସ୍ତ ସହୟତା ପ୍ରଦାନ କରାଯିବ ।"