ବ୍ରାସିଲିଆ: ବ୍ରାଜିଲରେ ପ୍ରକୃତିର ତାଣ୍ଡବ । ପ୍ରବଳ ବନ୍ୟା ସାଙ୍ଗକୁ ଭୂସ୍କଳନ ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଛି । ଫଳରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ କାର୍ନିଭାଲ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।
ଉତ୍ତର ସାଓ ପାଉଲୋର ଦୁଇଟି ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ରବିବାର ସାଓ ସେବାସ୍ତିଓରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ ଜଣେ ୭ବର୍ଷୀୟ ନାବାଳିକା ରହିଥିବା ନେଇ କୁହାଯାଇଥିଲା । ଏହାସହ ସାଓ ସେବାସ୍ତିଓ, ଉବାତୁବା, ଲ୍ଲାବେଲା ଏବଂ ବୋଟିଓଗାରେ ମଧ୍ୟ ବନ୍ୟା ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବହୁ ସଂଖ୍ୟାରେ ଲୋକେ ନିଖୋଜ ରହିଥିବା ବେଳେ ଅନେକ ଭୂସ୍ଖଳନ ଯୋଗୁଁ ଆହତ ହୋଇଛନ୍ତି । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି ।
ତେବେ ଏନେଇ ସାଓ ସେବାସ୍ତିଓର ମେୟର ଫିଲିପି ଅଗୋସ୍ତୋ କହିଛନ୍ତି, "ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୫୦ ଦର ଭୁଶୁଡି ପଡିଥିବା ବେଳେ ୧୨ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି ।" ତେବେ ପ୍ରକୃତିର ତାଣ୍ଡବ ସମୟର କିଛି ଭିଡିଓକୁ ଫିଲିପି ଅଗୋସ୍ତୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେଥିରେ ବନ୍ୟା ପାଣରୁ ଜଣେ ଶିଶୁକୁ ଉଦ୍ଧାର କରାଯାଉଥିବା ଭିଡିଓ ମଧ୍ୟ ରହିଛି ।
ଏହା ମଧ୍ୟ ପଢନ୍ତୁ: ICC Womens T20 World Cup: ଆଜି ଭାରତ-ଆୟର୍ଲାଣ୍ଡ ଲଢେଇ, ସେମି ଲକ୍ଷ୍ୟରେ ଖେଳିବ ଇଣ୍ଡିଆ
ତେବେ ଏହାରି ଭିତରେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ବନ୍ୟା ଅଞ୍ଚଳ ପରିଦର୍ଶନ ପାଇଁ ଯିବେ ବୋଲି ଟ୍ବିଟକରି ସୂଚନା ଦେଇଛନ୍ତି । ତେବେ ଗୋଟିଏ ଦିନରେ ବ୍ରାଜିଲରେ ୬୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପୂର୍ବରୁ ବ୍ରାଜିଲର ବର୍ଟିଓଗାରେ ୬୮୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ବନ୍ୟା ପ୍ରପୀଡିତଙ୍କୁ ଉଡାଜାହାଜ ସାହାଯ୍ୟରେ ଉଦ୍ଧାର କରାଯାଉଥିବା ବେଳେ ଡଙ୍ଗାରେ ଖାଦ୍ୟ ପହଞ୍ଚାଯାଉଛି । ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ପ୍ରକାଶଥାଉକି, ଗତବର୍ଷ ଜାନୁଆରୀ ମାସରେ ବ୍ରାଜିଲର ସାଓ ପାଉଲୋରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ୧୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ