ଓ୍ବାସିଂଟନ: ଦକ୍ଷିଣ ଆମେରିକୀୟ ଦେଶ ଗାଏନାରେ ଭୟାବହ ଅଗ୍ନିକାଣ୍ଡ । ମହିଦା ସହର ସ୍ଥିତ ଏକ ଗାର୍ଲ୍ସ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡ ଘଟିବାରୁ 19 ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ତେବେ ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ବହୁ ଛାତ୍ରୀଙ୍କୁ ସ୍କୁଲ ମଧ୍ୟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଏହି ଘଟଣାରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ଅଗ୍ନିଶମ ଅଧିକାରୀ କହୁଥିବା ବେଳେ ୱାଶିଂଟନ୍ ପୋଷ୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ 18 ଜଣ ବାଳିକା ଏବଂ ଜଣେ ଶିଶୁ ରହିଛନ୍ତି । ମୃତ ଶିଶୁ ଜଣଙ୍କ ସ୍କୁଲର କେୟାରଟେକରଙ୍କ ପୁଅ ବୋଲି ଜଣାପଡିଛି ।
ଗାଏନାର ରାଷ୍ଟ୍ରପତି ଇରଫାନ ଅଲ୍ଲି ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଭୟଙ୍କର ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶର ରାଜଧାନୀ ଜର୍ଜେଟାଉନ୍ଠାରୁ ପ୍ରାୟ 200 ମାଇଲ୍ ଦୂରରେ ଗତକାଲି ରାତି ପ୍ରାୟ 11ଟା 30 ମିନିଟ ସମୟରେ ମହଦିଆରେ ଥିବା ସ୍କୁଲରେ ନିଆଁ ଲାଗିଯାଇଥିଲା । ରବିବାର ଦିନ ୱାଶିଂଟନ୍ ପୋଷ୍ଟ ସ୍ଥାନୀୟ ଗଣମାଧ୍ୟମର ସୂଚନା ଆଧାରରେ ଏପରି ରିପୋର୍ଟ କରିଛି ।
ଏହା ମଧ୍ୟ ପଢନ୍ତୁ-ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, 10 ଅନ୍ତେବାସୀ ମୃତ
ତେବେ ଅଗ୍ନିକାଣ୍ଡ ଖବର ପାଇବା ପରେ ସ୍କୁଲରେ ପହଞ୍ଚି ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରି ପ୍ରାୟ 20ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ତେବେ କେଉଁ କାରଣରୁ ସ୍କୁଲରେ ଅଗ୍ନିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଅଗ୍ନିକାଣ୍ଡ ସମୟରେ ସ୍କୁଲରେ କେତେଜଣ ଛାତ୍ରୀ ଥିଲେ ତାହା ମଧ୍ୟ ଜଣାପଡିନାହିଁ । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହେବ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
କିଛିଦିନ ପୂର୍ବେ ନ୍ୟୁଜିଲାଣ୍ଡର ୱେଲିଂଟନର ଏକ ଚାରି ମହଲା ବିଶିଷ୍ଟ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ନିଆଁରେ ପୋଡ଼ି ହୋଇ 10 ଅନ୍ତେବାସୀଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ଦିଆଯାଇଥିଲା । ବିଳମ୍ବିତ ରାତିରେ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧରାକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।