ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ । ପୂର୍ବରୁ ଜନ ସମାବେଶ ଓ ରାଲିକୁ ବିବାଦରେ ଛନ୍ଦି ହୋଇଥିଲେ ଇମ୍ରାନ । ତେବେ ସାଉଦିର ମଦିନାରେ ଥିବା ମସଜିଦ-ଏ-ନବୱୀରେ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍ଙ୍କ ପ୍ରବେଶ ସମୟରେ ଇମ୍ରାନ ସମର୍ଥକମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ମାତ୍ର ବିକ୍ଷୋଭ ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପଞ୍ଜାବ ପ୍ରଦେଶ ପୋଲିସ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସମେତ ପୂର୍ବତନ ମନ୍ତ୍ରୀ ଓ ସମର୍ଥକଙ୍କୁ ମିଶାଇ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ପାକିସ୍ତାନ ପଞ୍ଜାବ ପ୍ରଦେଶ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସେହିପରି ଭାଇରାଲ ଭିଡିଓରେ ଗୁରୁବାର( ଅପ୍ରେଲ ୨୬) ଦିନ ସାଉଦି ଆରବର ମସଜିଦ୍-ଏ-ନବୱୀକୁ ପ୍ରବେଶ ସମୟରେ ଇମ୍ରାନଙ୍କ ସମର୍ଥକମାନେ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍ଙ୍କୁ ଚୋର ଓ ଦେଶଦ୍ରୋହୀ ବୋଲି ନାରା ଦେଇଥିଲେ । ଏଥିସହ ଏଠାରେ ଉପସ୍ଥିତ ଥିବା ପାକିସ୍ତାନୀ ତୀର୍ଥଯାତ୍ରୀ ତଥା ଇମ୍ରାନଙ୍କ ସମର୍ଥକମାନେ ସରିଫ୍ ଓ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ଖରାପ ଭାଷାରେ ଗାଳି ଦେଇଥିଲେ ।
ଅନ୍ୟପଟେ ଏହି ଘଟଣାରେ ୫ଜଣ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି ବୋଲି ମଦିନା ପୋଲିସ ସୂଚନା ଦେଇଛି । ସେପଟେ ଏହି ଘଟଣାକୁ ଗୁରୁତର ଭାବେ ପାକିସ୍ତାନ ସରକାର ନେବା ସହ ଶନିବାର(ଅପ୍ରେଲ ୩୦)ରେ ପଞ୍ଜାବ ପ୍ରଦେଶ ପୋଲିସ ଇମ୍ରାନ ଖାନ୍ଙ୍କ ସମେତ ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ, ଶେଖ ରଶୀଦ୍, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଶ ଶେହୱାଜ ଗୁଲ, ପୂର୍ବତନ ଡେପୁଟି ସ୍ପିକର କ୍ୱସିମ ସୁର, ଲଣ୍ଡନରେ ଇମ୍ରାନଙ୍କ ସହଯୋଗୀ ଅନୀଲ ମୁସର୍ରତ ଏବଂ ଶାହିୱଜାଦା ଜାହଙ୍ଗୀରଙ୍କୁ ମିଶାଇ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ପାକିସ୍ତାନ ସମ୍ବିଧାନର ଧାରା ୨୯୫ ଏ(295 A) ଅନୁଯାୟୀ ମାମଲା ରୁଜୁ ହୋଇଛି ।