ତେଲ୍ ଅଭିଭ୍: ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀ ଗୋଷ୍ଠୀର ବର୍ବରତା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ହମାସ୍ର ଘନ ଘନ ରକେଟ ମାଡରେ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହି ଭୟଙ୍କର ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକ ମୃତ୍ୟୁ ହୋଇଥିବା ଦେଶର 'ଟାଇମ୍ସ ଅଫ୍ ଇସ୍ରାଏଲ' ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଆକ୍ରମଣରେ ୧,୫୯୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।
ଆମେ ଯୁଦ୍ଧରେ ଅଛୁ: ହମାସ୍ ଆତଙ୍କବାଦୀ ଇସ୍ରାଏଲରେ ରକେଟ୍ ମାଡ଼ କରିବା ସହିତ ସାଧାରଣ ନାଗରିକ ଏବଂ ଇସ୍ରାଏଲ ଡିଫେନ୍ସ ଫୋର୍ସ(IDF)ର ଯବାନମାନଙ୍କୁ ଅପହରଣ କରି ନେଇ ଗାଜାରେ ପଣବନ୍ଦୀ କରିରଖିଛି । ତେବେ ଏହି ପଣବନ୍ଦୀଙ୍କ ସଂଖ୍ୟା ଇସ୍ରାଏଲ ନିକଟରେ ଥିବା ସୂଚନା ଠାରୁ ଯଥେଷ୍ଟ ଅଧିକ ବୋଲି ହମାସ୍ ଦାବି କରିଛି । ଶନିବାର ସକାଳୁ ଅଚାନକ ଇସ୍ରାଏଲରେ ଭୟଙ୍କର ଆକ୍ରମଣ ପରେ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ''ଆମେ ଏବେ ଯୁଦ୍ଧରେ ଅଛୁ । ଏହା କୌଣସି ଅପରେସନ ନୁହେଁ । ଏହା ଯୁଦ୍ଧ ଅଟେ । ଆଜି ସକାଳୁ ଏନେଇ କାର୍ଯ୍ୟ ଜାରି ରଖିଛୁ । ସୁରକ୍ଷା ପ୍ରତିଷ୍ଠାନ ଗୁଡିକର ମୁଖ୍ୟମାନଙ୍କୁ ଡକାଇ ଆଲୋଚନା କରୁଛୁ । ଇସ୍ରାଏଲର ସହରାଞ୍ଚଳରେ ପ୍ରବେଶ କରିଥିବା ଆତଙ୍କବାଦୀମାନଙ୍କୁ ଖାଲି କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି ।''
ଏହାମଧ୍ୟ ପଢନ୍ତୁ: Aattck on Israel: ଇସ୍ରାଏଲ ଓ ଗାଜା ମଧ୍ୟରେ ବିବାଦ ଓ ପ୍ରମୁଖ ସାମରିକ ଅପରେସନ
ଇସ୍ରାଏଲକୁ ଭାରତ-ଆମେରିକାର ସମର୍ଥନ: ଇସ୍ରାଏଲ ଉପରେ ପାଲେଷ୍ଟାଇନର ହମାସ୍ ଆତଙ୍କବାଦୀଙ୍କ ଭୟାବହ ଆକ୍ରମଣକୁ ବିଶ୍ବର ଅନେକ ରାଷ୍ଟ୍ର ନିନ୍ଦା କରିଛନ୍ତି । ଭାରତ ଏହି ଆତଙ୍କୀ ଆକ୍ରମଣକୁ ଦୃଢ ନିନ୍ଦା କରି ଇସ୍ରାଏଲକୁ ଖୋଲା ସମର୍ଥନ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଇସ୍ରାଏଲରେ ଆତଙ୍କୀ ଆକ୍ରମଣରେ ଆମେ ସ୍ତବ୍ଧ । ଏଭଳି ଘଡ଼ିସନ୍ଧି ସମୟରେ ଆମେ ଇସ୍ରାଏଲ ସହ ଛିଡା ହୋଇଛୁ । ଆକ୍ରମଣରେ ମୃତ ନିରୀହ ଜନସାଧାରଣ ଓ ପୀଡିତ ପରିବାର ପାଇଁ ପ୍ରାର୍ଥନା କରୁଛୁ ।'' ଭାରତର ସମର୍ଥନ ପାଇଁ ଇସ୍ରାଏଲ ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।
ସେହିପରି ଆମେରିକା, ବ୍ରିଟେନ୍ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,"ହମାସ୍ର ଆତଙ୍କୀ ହାମଲା ବିରୋଧରେ ଆମେରିକା ଇସ୍ରାଏଲ ସହ ଛିଡ଼ା ହୋଇଛି । ଇସ୍ରାଏଲ ନାଗରିକଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବୁ । ଏନେଇ ଆଜି ସକାଳେ ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇ ଆମେ ଇସ୍ରାଏଲ ସହ ଅଛୁ ବୋଲି ଜଣାଇଛି ।"