ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଅଗ୍ନିକାଣ୍ଡ । ଜାକର୍ତ୍ତାରେ ଥିବା ତେଲ ଡିପୋରେ ଅଗ୍ନିକାଣ୍ଡ ଘଟି 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି ।
ଉତ୍ତର ଜାକର୍ତ୍ତାର ପୋଲିସ କାର୍ଯ୍ୟାଳୟର ମୁଖ୍ୟ ବରିଷ୍ଠ କମିଶନର ଗିଡିଅନ ଆରିଫ ସେଟିଆୱାନ କହିଛନ୍ତି ଯେ, ''ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଆମକୁ ସୂଚନା ମିଳିଥିଲା । ଏହାପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ବା ସହ ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚି ଥିଲା । ନିଆଁକୁ ଆୟତ୍ତ କରାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନେକଙ୍କୁ ଉଦ୍ଧାର କରାଯାଇ ହସ୍ପିଚାଲରେ ଭର୍ତ୍ତି କରାଯାଇଥିବା ବେଳେ 14 ଜଣଙ୍କର ମୃତ୍ୟୁ ହୋଇଛି।''
ଅଗ୍ନିକାଣ୍ଡ ଘଟିଥିବା ତେଲ ଡିପୋ ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ୍ ସଂସ୍ଥା ପିଟି ପେର୍ଟାମିନା ଦ୍ୱାରା ପରିଚାଳିତ ହେଉଥିବା ଏକ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି । ପିଟି ପେର୍ଟାମିନା ସଂସ୍ଥା ତରଫରୁ ତେଲ ଡିପୋରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ରହିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।
ଏହା ମଧ୍ୟ ପଢନ୍ତୁ-ନାଇଜେରିଆର ତେଲ ପାଇପ ଲାଇନରେ ବିସ୍ଫୋରଣ, ୧୨ ମୃତ
ସେହିପରି ଆଜି ନାଇଜେରିଆରର ଏକ ତେଲ ପାଇପ ଲାଇନରେ ବିସ୍ଫୋରଣ ଖବର ସାମ୍ନାକୁ ଆସିଥିଲା । ନାଇଜେରିଆର ନାଇଜର ଡେଲଟା ରିଜନରେ ଥିବା ଏକ ତେଲ ପାଇପଲାଇନରେ ବିସ୍ଫୋରଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ହସ୍ତଗତ ହୋଇଥିଲା । ଏକ ବେଆଇନ ତୈଳ ପାଇପ ଲାଇନରେ ଏହି ଅଘଟଣ ଘଟିଥିଲା । କିଛି ଲୋକ ପାଇପ ଲାଇନରୁ ତେଲ ଚୋରି କରୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ, 5ଟି ଗାଡି, 4ଟି ଅଟୋ ରିକ୍ସା ଏବଂ ଗୋଟିଏ ମୋଟର ସାଇକେଲ ଜଳିଯାଇଥିଲା ।
ଗତ 26 ତାରିଖ ଦିନ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପାକିସ୍ତାନର ବେଲୁଚିସ୍ତାନ ସ୍ଥିତ ବରଖାନର ଏକ ବଜାର ଭିତରେ ବୋମା ବିସ୍ଫୋରଣ ଯୋଗୁଁ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଆହତ ହୋଇଥିଲେ । ଏହାପରେ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ବାଲେଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ଅବଦୁଲ କୁଦୋସ ବିଜନେଞ୍ଜୋ ଦୁଃଖ ପ୍ରକାଶ କରିଥିଲେ ।