ବୈରୁଟ: ଆକ୍ରାମକ ହେଉଛି ଇସ୍ରାଏଲ । ସୋମବାର ଦକ୍ଷିଣ ଲେବାନନଠାରେ ହିଜାବୁଲ୍ଲାହ ସଂଗଠନର ଶୀର୍ଷ ସ୍ତରୀୟ କମାଣ୍ଡର ଓ୍ୱିସାମ ତାଓ୍ବିଲକୁ ନିପାତ କରିଛି ଇସ୍ରାଏଲ ସେନା । ଏନେଇ ଇରାନ ସମର୍ଥତ ହିଜାବୁଲ୍ଲାହ ସଂଗଠନ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । 3 ମାସର ସୀମା ସଂଘର୍ଷ ମଧ୍ୟରେ ପ୍ରଥମ ଥର ହିଜାବୁଲ୍ଲାହର ଜଣେ ଶୀର୍ଷ ସ୍ତରୀୟ କମାଣ୍ଡରର ମୃତ୍ୟୁ ହୋଇଥିବା ନେଇ କହିଛି ହିଜାବୁଲ୍ଲାହ । ତେବେ ଓ୍ୱିସାମଙ୍କ ମୃତ୍ୟୁ ଗାଜା ଓ ହିଜବୁଲ୍ଲାହ ପାଇଁ ସମସ୍ୟା ଆଣିପାରେ ।
ହିଜାବୁଲ୍ଲାହ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, "ଜେରୁସାଲେମଠାରେ କାରରେ ଯାଉଥିବା ବେଳେ ଇସ୍ରାଏଲ ଏୟାର ଷ୍ଟ୍ରାଇକ ହୋଇଥିଲା । ଏହି ଆକ୍ରମଣରେ ହିଜାବୁଲ୍ଲାହର ଶୀର୍ଷ ସ୍ତରର କମାଣ୍ଡର ଓ୍ୱିସାମ ତାଓ୍ବିଲଙ୍କ ମୃତ୍ୟୁ ହୋଇଛି ।" ହିଜାବୁଲ୍ଲାହ ପକ୍ଷରୁ ଓ୍ବିସାମଙ୍କ ଏକ ଫୋଟୋ ଜାରି କରାଯାଇଛି । ଯେଉଁଥିରେ ଇରାକର ଟପ୍ ଜେନେରାଲ କ୍ବାସେମ ସୋଲେଇମାନିଙ୍କ ଫଟୋ ରହିଛି ।
ହମାସ ପକ୍ଷରୁ ମଧ୍ୟ ଓ୍ୱିସାମଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ଓ୍ବିସାମଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛି ହମାସ । ଶତ୍ରୁ(ଇସ୍ରାଏଲ) ନେତାମାନଙ୍କୁ ଯେତେ ଟାର୍ଗେଟ କଲେ ବି ପ୍ରତିରୋଧ ବାହିନୀକୁ ରୋକିପାରିବ ନାହିଁ ବୋଲି କହିଛି ହମାସ ଆତଙ୍କୀ ସଂଗଠନ । ଇରାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହାକୁ ଦୃଢ ନିନ୍ଦା କରାଯାଇଛି । ଇସ୍ରାଏଲର ଏହି ଆକ୍ରମଣ ଏକ ନିନ୍ଦନୀୟ ଆତଙ୍କୀ ଅପରେସନ ବୋଲି କହିଛନ୍ତି ଇରାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ନାଜିର କନାନି ।
ଏହାମଧ୍ୟ ପଢନ୍ତୁ... ଯୁଦ୍ଧରେ ପରିବାରକୁ ହରାଇଥିଲେ ପାଲେଷ୍ଟାଇନ ସାମ୍ବାଦିକ, ଏବେ ଏୟାର ଷ୍ଟ୍ରାଇକରେ ଆଉ ଜଣେ ପୁଅ ମୃତ
ଅନ୍ୟପଟେ ସୋମବାର ଦିନ ଲେବାନନରେ ହିଜାବୁଲ୍ଲାହ ସାମରିକ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିବା ନେଇ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଓ୍ୱିସାମ ତାଓ୍ବିଲ ମୃତ୍ୟୁ ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଇସ୍ରାଏଲ ଓ ଲେବାନନ 3 ମାସର ସୀମା ସଂଘର୍ଷ ମଧ୍ୟରେ ପାଖାପାଖି 130 ଜଣ ହିଜାବୁଲ୍ଲାହ ସଦସ୍ୟ ସମେତ 180 ଜଣଙ୍କୁ ଇସ୍ରାଏଲ ସେନା ହତ୍ୟା କରିଛନ୍ତି । ଏହି ଯୁଦ୍ଧରେ 3 ଜଣ ସାମ୍ବାଦିକଙ୍କ ମଧ୍ୟ ଜୀବନ ଯାଇଛି । ଅନ୍ୟପଟେ ଇସ୍ରାଏଲର ସୂଚନା ଅନୁଯାୟୀ, ପାଖାପାଖି 9 ଇସ୍ରାଏଲ ସେନା ଓ 4 ଜଣ ନାଗରିକଙ୍କୁ ଉତ୍ତର ଇସ୍ରାଏଲରେ ହତ୍ୟା କରାଯାଇଛି ।
2023 ଅକ୍ଟୋବର ମାସରୁ ଗାଜା ଇସ୍ରାଏଲ ଯୁଦ୍ଧ ଜାରି ରହିଛି । ହମାସ ଆତଙ୍କୀ ସଂଗଠନର ଇସ୍ରାଏଲ ଉପରେ ରକେଟ ମାଡ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ସୀମାରେ ହମାସ ଓ ହିଜାବୁଲ୍ଲାହ ସହ ଲଢେଇ ଜାରି ରଖିଛି ଇସ୍ରାଏଲ । ଏହି ଆକ୍ରମଣରେ ଏବେ ସୁଦ୍ଧା 22 ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 1200ରୁ ଅଧିକ ଇସ୍ରାଏଲ ନାଗରିକଙ୍କ ଜୀବନ ଯାଇଛି ।