ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କୁ ଅଣ୍ଡାମାଡ(Eggs thrown at King Charles) । ଗତକାଲି(ବୁଧବାର) ଲଣ୍ଡନର ୟର୍କ ସହର ଠାରେ କିଙ୍ଗ ଚାର୍ଲସ ଏବଂ ତାଙ୍କ ପତ୍ନୀ ରାଣୀ କ୍ୟାମିଲାଙ୍କ ଉପରେ ଅଣ୍ଡାମାଡ ହୋଇଛି । ରାଜା ପତ୍ନୀଙ୍କ ସହ ସହରର ଐତିହାସିକ ମାଇକେଲଗେଟ ନିକଟରେ ଲୋକମାନଙ୍କୁ ସାକ୍ଷାତ କରୁଥିବା ବେଳେ ଜଣେ ଯୁବକ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ସହ ''ଏହି ଦେଶ ଗୋଲାମମାନଙ୍କ ରକ୍ତରେ ନିର୍ମିତ'' ବୋଲି ଚିତ୍କାର କରିଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିନେଇଛି ।
ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ମୁତାବକ, କିଙ୍ଗ ଚାର୍ଲସ ନିଜର ଦିବଙ୍ଗତ ମାଆ ମହାରାଣୀ ଏଲିଜାବେଥଙ୍କ ପ୍ରତିମୂର୍ତ୍ତି ଅନବାରଣ ପାଇଁ ୟର୍କ ସହର ଗସ୍ତ କରିଥିଲେ । ୟର୍କର ସରକାରୀ କର୍ମଚାରୀମାନଙ୍କ ଉପସ୍ଥିତିରେ ରାଜା ସେଠାରେ କେତେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ହାତ ମିଳାଇ ଅଭିବାଦନ ଜଣାଉଥିବା ସମୟରେ ଜଣେ ଯୁବକ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲେ । ଏହାଦେଖି ସେଠାରେ ଉପସ୍ଥିତ ରାଜାଙ୍କ ଶୁଭେଚ୍ଛୁମାନେ ଯୁବକଙ୍କୁ ଗାଳି ଦେଇଥିଲେ । ''ତୁମକୁ ଲଜ୍ଜା ଲାଗିବା କଥା, ଭଗବାନ ରାଜାଙ୍କୁ ଦୀର୍ଘାୟୁ କରନ୍ତୁ'' ବୋଲି ସେମାନେ ଚିତ୍କାର କରିଥିଲେ । ତେବେ ରାଜା ଏହି ଅଣ୍ଡାମାଡ ଘଟଣାରେ ବିଚଳିତ ହୋଇନଥିବା ଦେଖିବାକୁ ମିଳିଛି ।
ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ଗୋଟିଏ ପରେ ଗୋଟିଏ ତିନୋଟି ଅଣ୍ଡା ରାଜାଙ୍କ ଉପରକୁ ଫିଙ୍ଗିଥିଲେ । ମାତ୍ର ଏହା ରାଜା ଚାର୍ଲସଙ୍କ ଦେହରେ ବାଜିନଥିଲା । ରାଜା ଅଣ୍ଡାଗୁଡିକ ଚାହିଁଥିଲେ ଏବଂ ହସି ଦେଇ ପୁଣି ଲୋକମାନଙ୍କୁ ସାକ୍ଷାତ କରିଥିଲେ । ଏହାପରେ ପୋଲିସ ଅଣ୍ଡା ଫିଙ୍ଗିଥିବା ଯୁବକଙ୍କୁ କାବୁ କରିନେଇଥିଲା । ତେବେ ବ୍ରିଟିଶ ରାଜ ପରିବାର ଏପରି ଅଣ୍ଡାମାଡର ଶିକାର ହେବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ସେଣ୍ଟ୍ରାଲ ଇଲଣ୍ଡ ଠାରେ କେତେକ ବିକ୍ଷୋଭ ପ୍ରଦର୍ଶନକାରୀ ରାଣୀ ଏଜିଲାବେଥଙ୍କ କାରକୁ ଅଣ୍ଡାମାଡ କରିଥିଲେ ।