କାବୁଲ: ଆଫଗାନିସ୍ତାନରେ ପୁଣି ପ୍ରକୃତିର ତାଣ୍ଡବ । ୩ ଦିନ ମଧ୍ୟରେ ଦ୍ବିତୀୟ ଭୂକମ୍ପ ଝଟକା । ୬.୧ ତୀବ୍ରତାରେ ଥରି ଉଠିଲା ଆଫଗାନିସ୍ତାନ । ଆଜି ଭାରତୀୟ ସମୟ ସକାଳ ୬ଟା ୧୧ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗତ ୭ ତାରିଖରେ ଆଫଗାନସ୍ତାରେ ୬.୩ ତୀବ୍ରତାର ଭୂକମ୍ପ ହୋଇଥିଲା । ସେଥିରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।
ସୂଚନା ମୁତାବକ, ଆଜି ପୁଣି ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସମୟରେ ଲୋକମାନେ ଶୋଇଥିବାରୁ ଆତଙ୍କିତ ହୋଇପଡ଼ିଥିଲେ । କିଛି ଲୋକ ଘର ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୩୪.୭୧ ରହିଥିବା ବେଳେ ଏହାର ଦ୍ରାଘିମା ୬୨.୧୩ ରହିଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- Earthquake: ତେଲେଙ୍ଗାନାରେ ଭୂମିକମ୍ପ ଝଟକା
ପ୍ରକାଶ ଥାଉକି, ଗତ ୭ ତାରିଖରେ ଆଫଗାନିସ୍ତାନରେ ୧ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ହେରାତ ସହର ହୋଇଥିବାବେଳେ ତାହାର କମ୍ପନ ପ୍ରାୟ ୭.୭ କିମି ଗଭୀରରେ ହୋଇଥିଲା । ପ୍ରଥମ ଝଟ୍କାର ତୀବ୍ରତା ୬.୩ ମ୍ୟାଗ୍ନିଚ୍ୟୁଡ୍ ଥିଲା । ପରେ ପୁଣି ଥରେ ୫.୯ ତୀବ୍ରତାର କମ୍ପନ ମଧ୍ୟ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- Afghanistan: ୨୦୦୦ ପାର କଲାଣି ଭୂକମ୍ପ ମୃତ୍ୟୁସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି
ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ସରକାର ଅନୁଯାୟୀ, ସେହି ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୯୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୧୩୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ଏହି ଭୂକମ୍ପ ଯୋଗୁଁ ମୃତାହତ ଓ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ବିଶ୍ବକପ୍ ଖେଳିବାକୁ ଭାରତରେ ଥିବା ଆଫଗାନିସ୍ତାନର ଷ୍ଟାର ବୋଲର ରସିଦ ଖାନ ନିଜ ଦେଶବାସୀଙ୍କ ପାଇଁ ବହୁତ ଚିନ୍ତିତ ଅଛନ୍ତି । ତେଣୁ ସେ ତାଙ୍କର ସମସ୍ତ ବିଶ୍ବକପ୍ ମ୍ୟାଚ୍ ଫି' ପୀଡ଼ିତଙ୍କ ସହାୟତା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ