ଇସଲାମବାଦ: ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ନିର୍ମମ ହତ୍ୟା । ଡାକ୍ତରଙ୍କ ଗଳାକାଟି ହତ୍ୟା କଲା ତାଙ୍କର ଡ୍ରାଇଭର । ମୃତକ ହେଉଛନ୍ତି ପାକିସ୍ତାନ ହାଇଦ୍ରାବାଦ ଅଞ୍ଚଳର ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଧରମ ଦେବ ରାଠି । ଗତକାଲି ତାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଏନେଇ ସୂଚନା ମିଳିଛି ।
ସୂଚନା ମୁତାବକ, ଅଭିଯୁକ୍ତ ଡ୍ରାଇଭର ହନିଫ୍ ଲେଘାରି ବୋଲି ଚିହ୍ନଟ ହୋଇଛି । ତା'ର ଘର ଖୈରାପୁର ଅଞ୍ଚଳରେ ହୋଇଥିବାବେଳେ ସେ ଡାକ୍ତର ରାଠିଙ୍କ ଡ୍ରାଇଭର ଭାବେ କାମ କରୁଥିଲା । ମୃତକଙ୍କ ରୋଷେୟା କହିବା ଅନୁସାରେ, ଡାକ୍ତର ହସ୍ପିଟାଲରୁ କାର୍ରେ ଘରକୁ ଫେରୁଥିବା ସମୟରେ ଡ୍ରାଇଭର ସହ ତାଙ୍କର ବଚସା ହୋଇଥିଲା । ଡାକ୍ତର ହନିଫକୁ ଖୁବ୍ ଗାଳି ଗୁଲଜ କରିଥିଲେ । ଏନେଇ ରାଗରେ ଜର୍ଜରିତ ଥିଲା ଅଭିଯୁକ୍ତ । ଏହାପରେ ଡାକ୍ତରଙ୍କୁ ନେଇ ଘରେ ପହଞ୍ଚିବା କ୍ଷଣି ଅଭିଯୁକ୍ତ ରୋଷେଇ ଘରୁ ଗୋଟିଏ ଛୁରୀ ଆଣି ତାଙ୍କ ଉପରେ ଆକ୍ରମଣ କରିଥିଲା । ସେ ତାଙ୍କର ଗଳାକାଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ଡାକ୍ତର ।
ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୁଆଡେ ଫେରାର୍ ହୋଇଯାଇଥିଲା । ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି ଚଳାଇଥିଲା । ତେବେ ଏହି ଘଟଣାର ୨୪ ଘଣ୍ଟା ଭିତରେ ପୋଲିସ ଡ୍ରାଇଭରକୁ ତା'ର ଘରୁ ଗିରଫ କରିଥିବା ସୂଚନା ମିଳିଛି । ଗତକାଲି ପାକିସ୍ତାନର ହାଇଦ୍ରାବାଦ ଅଞ୍ଚଳରେ ରହୁଥିବା ହିନ୍ଦୁ ସମୁଦାୟର ଲୋକେ ହୋଲି ପାଳନ କରୁଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଡାକ୍ତରଙ୍କ ପରିବାର ଲୋକେ ଆମେରିକାରେ ବସବାସ କରନ୍ତି । ସେ ହାଇଦ୍ରାବାଦ ଅଞ୍ଚଳରେ ଖୁବ୍ ଜଣାଶୁଣା ଚର୍ମରୋଗ ଡାକ୍ତର ଥିଲେ ।
ଏନେଇ ଅଭିଯୁକ୍ତ ଡ୍ରାଇଭର କହିଛି ଡାକ୍ତର ରାଠି ତାକୁ ଅନେକ ସମୟରେ ଗାଳିଗୁଲଜ କରୁଥିଲେ । ସେ ଗାଡିରୁ ପେଟ୍ରୋଲ ଚୋରି କରୁଥିବା କହୁଥିଲେ । ଏପରିକି ଛୁଟି ଦିନରେ ଘରକୁ ଯିବାକୁ ଅନୁମତି ଦେଉନଥିଲେ । ଗତକାଲି ପୁଣିଥରେ ଡାକ୍ତରଙ୍କ ସହ ତା'ର ପାଟିତୁଣ୍ଡ ହେବା ପରେ ସେ ତାଙ୍କୁ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ପାକିସ୍ତାନ ପିପୁଲ୍ସ ପାର୍ଟି ମହିଳା ମୋର୍ଚ୍ଚ ମୁଖ୍ୟ ଫରୟାଲ ତଲପୁର ଏହି ଘଟଣାକୁ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ନ୍ୟାୟ ମିଳିବା ବୋଲି କହିଛନ୍ତି ।