ନୂଆଦିଲ୍ଲୀ: ଭାରତୀୟ ବିଦ୍ୟାର୍ଥୀଙ୍କ ପାଇଁ ଖୁବଶୀଘ୍ର ଭିସା ଜାରି କରିବ ଚୀନ । ଯେଉଁମାନେ ଚୀନରେ ପାଠ ପଢିବାକୁ ଚାହୁଁଛନ୍ତି ସେମାନଙ୍କୁ ପୁଣି ଥରେ ଭିସା ପ୍ରଦାନ କରାଯିବା ନେଇ ଚୀନ ଘୋଷଣା କରିଛି । ପୂର୍ବରୁ ଚୀନ କୋରୋନା ସଂକ୍ରମଣ ଯୋଗୁଁ ଭାରତୀୟ ବିଦ୍ୟାର୍ଥୀଙ୍କ ପାଇଁ ଏହି ଭିସା ବନ୍ଦ କରିଥିବାବେଳେ ଏବେ ପୁଣିଥରେ ଆରମ୍ଭ କରିବାକୁ ଯାଉଛି ।
ଚୀନ ବୈଦେଶିକ ମନ୍ତ୍ରଣାଳୟର ଏସୀୟ ବ୍ୟାପାର ବିଭାଗର ପରାମର୍ଶଦାତା ଜି ରୋଙ୍ଗ ଏନେଇ ଟ୍ବିଟ କରି କହିଛନ୍ତି ଯେ, ''ଭାରତୀୟ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ, ତୁମର ଧୋର୍ଯ୍ୟ ତାର ଉଚିତ ମୂଲ୍ୟ ପ୍ରଦାନ କରିଛି, ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି ଓ ଚୀନକୁ ଆସିବାକୁ ସ୍ବାଗତ କରୁଛି ।''
ଏହା ମଧ୍ୟ ପଢନ୍ତୁ-ଭାରତୀୟଙ୍କ ଉପରୁ ଭିସା କଟକଣା ହଟାଇଲା ଚୀନ
ଭାରତରେ ଥିବା ଚୀନ ଦୂତାବାସ ଏହାର ଓ୍ବେବସାଇଟରେ କହିଛି ଯେ, ''ଚୀନ୍ ଭିସା ଆବେଦନ ପକ୍ରିୟା ଏବଂ ଆବଶ୍ୟକୀୟ ଜିନିଷକୁ ଅପଡେଟ୍ କରାଯାଇଛି । ଯାହା ୨୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି । ଯେଉଁମାନେ ଚୀନରେ ପାଠ ପଢିବାକୁ ଚାହୁଁନ୍ତି ସେମାନେ ଭିସା ପାଇଁ ଆବେଦନ କରିପାରିବେ ।''
ଚୀନରେ ପାଠ ପଢିବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ X୧ ଭିସା ପ୍ରଦାନ କରିବ ଚୀନ । ଯେଉଁମାନେ ଚୀନରେ ପୂର୍ବରୁ ଅଧ୍ୟୟନ କରୁଥିଲେ ଏବଂ ଏବେ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ସେମାନେ ଖୁବ ଶୀଘ୍ର ଫେରିଆସନ୍ତୁ ବୋଲି ଚୀନ ଇଚ୍ଛାପ୍ରକାଶ କରିଛି । ପ୍ରାୟ 23,000 ଭାରତୀୟ ଚୀନରେ ପାଠପଢୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଶିକ୍ଷା ନେଉଥିଲେ, କୋଭିଡ ସମୟରେ ଭିସାରେ ପ୍ରତିବନ୍ଧକ ଯୋଗୁଁ ସମସ୍ତେ ଘରକୁ ଫେରିଆସିଥିଲେ ।