ବେଜିଂ: ଚୀନ ଗସ୍ତ କରିଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଆଜିଠୁ ସେ 5 ଦିନିଆ ଚୀନ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଆଲୋଚନା କରିବେ ଓ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ ଅନୁଗାମୀ ନେତା ଭାବେ ପରିଚିତ । ଭାରତ ସହ କୂଟନୈତିକ ବିବାଦ ସମୟରେ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଚୀନ ଗସ୍ତ ଭାରତ ଉପରେ ପ୍ରଭାବ ପକାଇପାରେ । ଏହି ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ ମା ଳଦ୍ବୀପର 3 ମନ୍ତ୍ରୀ । ଏହାପରେ ମାଳଦ୍ବୀପର 3 କ୍ୟାବିନେଟ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା । ଏନେଇ ମାଳଦ୍ବୀପ ହାଇକମିଶନରଙ୍କୁ ସମନ ଜାରି କରିଥିଲେ ଭାରତ ସରକାର । ଆଜି ବୈଦେଶିକ ମନ୍ତ୍ରାଳୟରେ ମାଳଦ୍ବୀପ ହାଇକମିଶନର ହାଜର ମଧ୍ୟ ହୋଇଛନ୍ତି ।
ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଚୀନ ଗସ୍ତକୁ ନେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମହମ୍ମଦ ମୁଇଜୁ ଚୀନ ଗସ୍ତରେ ଆସିଛନ୍ତି । ଦ୍ବିପାକ୍ଷୀକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେ ଚୀନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ । ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇପାରେ । ଚୀନ ଓ ମାଳଦ୍ବୀପ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ବେଶ ସୁଦୃଢ ରହିଛି । ଏହା ଆଗକୁ ମଧ୍ୟ ଆହୁରି ମଜବୁତ ହେବ । ମାଳଦ୍ବୀପ ଓ ଚୀନ ମଧ୍ୟରେ ବାଣିଜ୍ୟିକ ବିକାଶ, ଅର୍ଥନୈତିକ ଓ ସାମାଜିକ ସହଯୋଗ ଉପରେ ଚୁକ୍ତି ସ୍ବାକ୍ଷର ହୋଇପାରେ ବୋଲି ମାଳଦ୍ବୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି । 2023 ଡିସେମ୍ବର 1ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇରେ କପ୍ ୨୮ ସମ୍ମିଳନୀରେ ମାଳଦ୍ୱୀପ ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଲୋକ ସମ୍ପର୍କ, ସହଯୋଗ, ଅର୍ଥନୈତିକ ସମ୍ପର୍କ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଉଭୟ ଏକ କୋର୍ ଗ୍ରୁପ୍ ଗଠନ ଲାଗି ଏକମତ ହୋଇଥିଲେ ।
ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ ଅନୁଗାମୀ ନେତା ଭାବେ ପରିଚିତ । ସେ କ୍ଷମତାକୁ ଆସିବା ପରେ ଚୀନର ପ୍ରଭାବରେ ଭାରତ ସହ ସମ୍ପର୍କକୁ ଜଟିଳ କରିବାରେ ଲାଗିଛନ୍ତି । ପୂର୍ବରୁ ମାଳଦ୍ବୀପ ବିଦେଶ ନୀତିରେ ଭାରତ ପ୍ରଥମ ଆଭିମୁଖ୍ୟରେ ବିଶ୍ବାସ କରୁଥିଲା । ହେଲେ ମୁଇଜୁ ନିର୍ବାଚିତ ହେବା ପରେ ସେଠାରେ ଦୀର୍ଘ ବର୍ଷରୁ ନିୟୋଜିତ ଥିବା ଭାରତୀୟ ସଶସ୍ତ୍ର ବଳକୁ ଅପସାରଣ କରିବା ପାଇଁ ମାଳଦ୍ବୀପ ଇଚ୍ଛା ପ୍ରକଟ କରିଛି । ଏହା ବେଜିଂର ପ୍ରରୋଚନାରେ ହେଉଥିବା ସନ୍ଦେହ କରାଯାଉଛି । ଏହାରି ମଧ୍ୟରେ ସୋମବାର ରାତିରେ ରାଷ୍ଟ୍ରପତି ମୁଇଜୁ ଚୀନ ଗସ୍ତ କରିଛନ୍ତି ।