ୱାଶିଂଟନ: ଆମେରିକା ଆକାଶରେ ଉଡୁଛି ଚୀନର ଗୁଇନ୍ଦା ବେଲୁନ । ପ୍ରଥମେ ଆମେରିକାର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଗୁଇନ୍ଦା ବେଲୁନ ଉଡିବା ପରେ ଏବେ ଲାଟିନ ଆମେରିକା ଆକାଶରେ ଆଉ ଏକ ବିରାଟକାୟ ବେଲୁନ ଠାବ କରାଯାଇଛି । ଏନେଇ ଶୁକ୍ରବାର ରାତିରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ଗୁଇନ୍ଦାଗିରି କରିବା ଉଦ୍ଦେଶ୍ୟରେ ଏହି ବେଲୁନ ଛଡାଯାଇଥିବା କୁହାଯାଇଛି ।
ଏନେଇ ପେଣ୍ଟାଗନର ମୁଖପାତ୍ର ପାଟ୍ରିକ ରାଇଡର ଏକ ବିବୃତ୍ତିରେ କହିଛନ୍ତି ଯେ, ଲାଟିନ ଆମେରିକାରେ ଆଉ ଏକ ବେଲୁନ ଦେଖାଯାଇଥିବା ଖବର ମିଳିଛି । ଏହା ଚୀନର ଦ୍ବିତୀୟ ଗୁଇନ୍ଦା ବେଲୁନ ହୋଇଥିବା ଆମେ ସନ୍ଦେହ କରୁଛୁ । ଏହାପୂର୍ବରୁ ଆମେରିକାର ମୋଣ୍ଟାନା ଆକାଶରେ ଉଡୁଥିବା ବେଲୁନ ଉପରେ କିଛି ଦିନ ହେଲା ଆମେରିକା ସରକାର ନଜର ରଖିଛନ୍ତି । ଏହି ବେଲୁନ ଉତ୍ତର ଆମେରିକାରେ ପ୍ରବେଶ କରି ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ମୋଣ୍ଟାନା ଉପରେ ଉଡୁଛି । ମୋଣ୍ଟାନା ଦେଶର ଏକ କମ୍ ଜନବହୁଳ ରାଜ୍ୟ ହୋଇଥିବାବେଳେ ଏଠାରେ ଆଣବିକ ମିଶାଇଲ ରହିଛି । ତେଣୁ ଆଣବିକ ଅସ୍ତ୍ରଶସ୍ତ୍ରର ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ ଏହି ବେଲୁନ ଛାଡିଥିବା ସନ୍ଦେହ କରାଯାଉଛି ।
ଏହାମଧ୍ୟ ପଢନ୍ତୁ: Most Popular World Leader: 78% ସହ ଆଗରେ ମୋଦି, ପଛରେ ବାଇଡେନ-ସୁନାକ
ତେବେ ଏହି ବେଲୁନ ପାଇଁ ଏ ପର୍ଯ୍ୟନ୍ତ କୌଣସି ବିପଦ ସୃଷ୍ଟି ହୋଇନି । ଏହା ଆକାଶରେ ଖୁବ୍ ଉଚ୍ଚରେ ଉଡୁଥିବାରୁ ବାଣିଜ୍ୟିକ ବିମାନ ଚଳାଚଳ କ୍ଷେତ୍ରରେ କିମ୍ବା ଭୂପୃଷ୍ଠରେ ଥିବା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରିନି । ଏହି ଚୀନ ବେଲୁନ ତିନୋଟି ବସ୍ ଆକାର ଭଳି ବଡ ବୋଲି କୁହାଯାଉଛି । ଉତ୍ତର ଆମେରିକୀୟ ଏରୋସ୍ପେସ ପ୍ରତିରକ୍ଷା କମାଣ୍ଡ ଗୁଇନ୍ଦା ବେଲୁନ ଉପରେ ନଜର ରଖିବା ସହ ଏହାକୁ ଟ୍ରାକ କରିବାରେ ଲାଗିଛନ୍ତି ବୋଲି ପେଣ୍ଟାଗନ ମୁଖପାତ୍ର ଜଣାଇଛନ୍ତି । ଏହାସହିତ ଆମେରିକା ଆକାଶରେ ଏହା ଠାବ ହେବା ପରେ ସରକାର ତୁରନ୍ତ ନିଜର ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ।
ଅନ୍ୟପଟେ ଏହି ବେଲୁନ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଛି । ଏହି ବେଲୁନ ଚୀନର ଏକ ସିଭିଲିଆନ ଏୟାରସିପ୍ ଥିଲା ଏବଂ ଭୁଲରେ ଆମେରିକା ବାୟୁସୀମାରେ ପ୍ରବେଶ କରିଛି । ଏହି ଏୟାରସିପ୍ ପାଣିପାଗ ଭଳି ବିଭିନ୍ନ ଗବେଷଣା ପାଇଁ ଉଦ୍ଦିଷ୍ଟ ବୋଲି ମନ୍ତ୍ରଣାଳୟ ୱେବସାଇଟରେ କୁହାଯାଇଛି ।