ନୂଆଦିଲ୍ଲୀ: 2001 ମସିହା ସେପ୍ଟେମ୍ବର 11 ତାରିଖ । ସ୍ବାଭାବିକ ଥିଲା ଜୀବନ । ରାସ୍ତାଘାଟ ଓ କାର୍ଯ୍ୟକାଳରେ ଲାଗିଥିଲା ଭିଡ । ମାତ୍ର କିଛି କ୍ଷଣ ମଧ୍ୟରେ ଆମେରିକା ଆକାଶରେ ଏକ ଅସ୍ବାଭାବିକ ଘଟଣା ଘଟିଥିଲା । 4ଟି ଆମେରିକୀୟ ବିମାନକୁ କବଜା କରିଥିଲେ 19 ଇସଲାମିକ ଆତଙ୍କବାଦୀ । ବିମାନ ଗୁଡିକ ରାଡାରରୁ ହଠାତ୍ ଗାଏବ ଘଟଣାକୁ ବୁଝିବା ପୂର୍ବରୁ ଗୋଟିଏ ବିମାନ ସିଧା ଯାଇ ଲୋୟର ମ୍ୟାନହ୍ୟାଟନ ସ୍ଥିତ ବିଶ୍ବ ଟ୍ରେଡ ସେଣ୍ଟରର ନର୍ଥ ଟାୱାରରେ ମାଡ ହୋଇଥିଲା । ଦେଖୁ ଦେଖୁ ଆଉ ଏକ ବିମାନ ଆସି ସାଉଥ ଟାୱାରରେ ମାଡ ହୋଇଥିଲା । ଏହି ଭୟଙ୍କର ଆତଙ୍କୀ ଆକ୍ରମଣରେ ପାଖାପାଖି 3 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ପ୍ରାୟ 10,000 ନାଗରିକ ଆହତ ହୋଇଥିଲେ । ଆଜି ଏହି କଳାଦିନକୁ 22 ବର୍ଷ ପୂରଣ ହୋଇଛି ।
ସେପ୍ଟେମ୍ବର 11ର ସିରିଜ ଆକ୍ରମଣ ବା ଅନ୍ୟ ଶବ୍ଦରେ 9/11 ଆକ୍ରମଣରେ ଆମେରିକାକୁ ଟାର୍ଗେଟ କରିଥିଲେ ଇସଲାମିକ କଟ୍ଟରପନ୍ଥୀ ଦଳ ଅଲ-କାଏଦା ସହ ସମ୍ପୃକ୍ତ 19 ମିଲିଟାଣ୍ଟ । ଏଥିରେ ପେଣ୍ଟାଗନରେ 184, ସାଙ୍କ୍ସଭିଲେରେ 40ଙ୍କ ସମେତ ନ୍ୟୁୟର୍କରେ ଆଖି ବୁଜିଥିଲେ 2750 ନିରୀହ ନାଗରିକ । ଆକ୍ରମଣରେ 400ରୁ ଊର୍ଦ୍ଧ୍ବ ପୋଲିସ ଅଧିକାରୀ ଓ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣ ପଛର ମୁଖ୍ୟ ନାୟକ ଥିଲା ଇସଲାମିକ ଆତତାୟୀ ସଂଘ ଅଲ-କାଏଦା ମୁଖ୍ୟ ଓସାମା ବିନ ଲାଡେନ ।
ଜାଣନ୍ତୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ
- ଅଲକାଏଦା ଆତଙ୍କୀ ସମୂହ ମୁଖ୍ୟ ଓସାମା ବିନ ଲାଡେନ ଏହି ଆକ୍ରମଣର ମୁ୍ଖ୍ୟ ଥିଲା । ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ପୁରା ପ୍ଲାନ କରିଥିବା ଲାଡେନ । ଲାଡେନ ସାଉଦି ଆରବର ଥିଲା ।
- ଆମେରିକା ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଟନଙ୍କୁ ଆମେରିକା ଗୁଇନ୍ଦା ଏଜେନ୍ସି ସୂଚନା ଦେଇଥିଲା କି ଲାଡେନ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ରଚିଛି । ଖାଲି ସେତିକି ନୁହେଁ ବିମାନ ହାଇଜାକ କରିବା ନେଇ ମଧ୍ୟ ପ୍ଲାନ ହୋଇଥିବା ଆଗୁଆ ଏଜେନ୍ସି ସୂଚନା ଦେଇଥିଲା ।
- ସୂଚନା ଅନୁସାରେ ଆମେରିକା ବିଶ୍ବ ବାଣିଜ୍ୟ ସଂଗଠନ ଉପରେ ମଧ୍ୟ ଆତଙ୍କୀ ଆକ୍ରମଣ ହୋଇଥିଲା । 1993 ଫେବୃଆରୀ ୱାର୍ଲ୍ଡ ଟ୍ରେଡ ସେଣ୍ଟର ପାଖରେ ଥିବା ଏକ ଗାଡିରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଶତାଧିକ ଲୋକ ଗଭୀର ଆହତ ହୋଇଥିଲେ ।
- ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ହୋଇଥିବା ଆକ୍ରମଣ ଏତେ ଭୟଙ୍କର ଥିଲା ଯେ 9 ଦିନ ଧରି ନିଆଁ ଜଳିଥିଲା । 11 ସେପ୍ଟେମ୍ବରର ଲାଗିଥିବା ନିଆଁ 19 ସେପ୍ଟେମ୍ବରରେ ଲିଭାଯାଇଥିଲା ।
- ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ଲାଗିଥିବା ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ପାଖାପାଖି 343 କର୍ମୀଙ୍କ ଜୀବନ ଯାଇଥିଲା ।
- ଆମେରିକା ଉପରେ ଆତଙ୍କୀ ଆକ୍ରମଣ ପରେ ଦୁନିଆର 48 ଦେଶରେ ସେପ୍ଟମ୍ବର 11 ତାରିଖ 2001ରେ ଏକ ଶୋକ ସଭା ଆୟୋଜନ ହୋଇଥିଲା । ଏଥିରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ଆକ୍ରମଣରେ 77 ଦେଶର ନାଗରିକଙ୍କ ମୃତ୍ୟୁ ହୋଇଥିଲା ।
- 11 ସେପ୍ଟେମ୍ବର 2001 ଆକ୍ରମଣରେ ଜମା ହୋଇଥିବା ଆବର୍ଜନାକୁ ସଫା କରିବାକୁ ପାଖାପାଖି 9 ମାସ ଲାଗିଥିଲା । ପାଖାପାଖି 18 ଲକ୍ଷ ଟନ ଆବର୍ଜନା ଜବତ ହୋଇଥିଲା ।