ଲଣ୍ଡନ: 13 ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଇଶ୍ବର ଶର୍ମା ସ୍ବିଡେନରେ ଅନୁଷ୍ଠିତ ୟୁରୋପିଆନ ଯୋଗ ସ୍ପୋର୍ଟସ ଚାମ୍ପିଅନସିପ୍ ରେ ପ୍ରଭାବୀ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଇଂଲଣ୍ଡର କେଣ୍ଟରେ ସପରିବାରେ ରହୁଥିବା ଇଶ୍ବର ଶର୍ମା ନିଜ ପିତାଙ୍କୁ ଯୋଗ ଅଭ୍ୟାସ କରିବାର ଦେଖି ତିନି ବର୍ଷ ବୟସରୁ ଯୋଗ ଅଭ୍ୟାସ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ବିଭିନ୍ନ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିୁବା ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ... AIIMSର ଅନୁସନ୍ଧାନ: ଅପସ୍ମାର ରୋଗୀଙ୍କ ପାଇଁ ଲାଭଦାୟକ ଯୋଗାଭ୍ୟାସ
ବିଗତ ସପ୍ତାହରେ ଆନ୍ତର୍ଜାତୀୟ ଯୋଗ ସ୍ପୋର୍ଟସ ଫେଡେରେସନ ଏବଂ ସ୍ବିଡିସ୍ ଯୋଗ ସ୍ପୋର୍ଟସ ଫେଡେରେସନ ମିଳିତ ସହଯୋଗରେ ଆୟୋଜିତ ୟୁରୋପିଆନ ଯୋଗ ଚାମ୍ପିଅନସିପରେ 12 ରୁ 14 ବର୍ଷର କୈଶୋର ବିଭାଗରେ ଇଶ୍ବର ଶର୍ମା ଭାଗ ନେଇ ବିଜୟୀ ହୋଇଥିଲେ । ଇଶ୍ବର ନିଜ ଯୋଗ ଜରିଆରେ ଦିବ୍ୟାଙ୍ଗ ଶିଶୁଙ୍କ ଉଦେଶ୍ୟରେ ବିଶ୍ବରେ ସମାନତାର ବାର୍ତ୍ତା ଜଣାଇବାକୁ ଚାହିଁଛନ୍ତି । କାରଣ ନିଜେ ଇଶ୍ବର ପିଲାଟି ବେଳୁ ଅଟିଜିମ୍ ଏବଂ ଏଡିଏଚଡି ରୋଗରେ ପୀଡିତ । କୋରୋନାର ଦୁର୍ଦ୍ଦିନ ସମୟରେ ଲକଡାଉନ ଚାଲୁଥିବା ଅବସ୍ଥାରେ ସେ 14 ଟି ଦେଶର ମୋଟ 40 ଜଣ ଶିଶୁଙ୍କୁ ଅନଲାଇନରେ ଯୋଗ ଶିଖାଇ ବେଶ ପ୍ରଶଂସା ସାଉଁଟିଥିଲେ । ଏଥି ପାଇଁ ତାଙ୍କୁ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପଏଣ୍ଟସ ଅଫ ଲାଇଟ ସମ୍ମାନରେ ସମ୍ମାନିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ... Yoga For Pollution: ପ୍ରଦୂଷଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଯୋଗ, ସୁସ୍ଥ ରହିବ ଫୁସଫୁସ
ଯୋଗ ଜରିଆରେ ବିଶ୍ବ ବ୍ୟାପୀ ଲକଡାଉନ ସମୟରେ ଶହଶହ ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସ୍ବତନ୍ତ୍ର ଆବଶ୍ୟକତା ଲୋଡୁଥିବା ପିଲାଙ୍କୁ ସାହାଯ୍ୟ କରି ଇଶ୍ବର ଅନ୍ୟକୁ ପ୍ରେରଣା ଦେଉଥିବାର କଥା 2021 ଜୁନ ମାସରେ ଏକ ବ୍ୟକ୍ତିଗତ ଚିଠି ଜରିଆରେ ପ୍ରଧାନମନ୍ତ୍ରୀ ଜନସନ ଇଶ୍ବରଙ୍କୁ ପ୍ରଶଂସା କରିଥିଲେ । ଇଶ୍ବର ଶର୍ମା ଏଯାବତ୍ 5ଟି ବିଶ୍ବ ଚାମ୍ପିଅନସିପ୍ ହାତେଇବା ସହ ଯୋଗ କ୍ଷେତ୍ରରେ ବ୍ରିଟିଶ୍ ୟୁଥ ଆଇକନ ଆୱାର୍ଡ ହାସଲ କରିଛନ୍ତି । ସେ ନିଜ ପିତାଙ୍କ ସହ ମିଶି ଆଇ ଯୋଗ ସଲ୍ୟୁସନସ ସଂସ୍ଥା ଚଳାଉଛନ୍ତି ଯାହାର ଲକ୍ଷ୍ୟ ସମଗ୍ର ଇଂଲଣ୍ଡରେ ଯୋଗ ଏବଂ ଏହାର ଉପକାରିତାର ପ୍ରଚାର ପ୍ରସାର କରିବା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ