ୱେଲିଂଟନ: ବିଭିନ୍ନ ରାଷ୍ଟ୍ରରେ ସ୍ବାଗତର ରହିଛି ଭିନ୍ନ ପରମ୍ପରା । ଭାରତ ପରି ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରେ ଅତିଥିଙ୍କୁ ଦେବତା ତୁଲ୍ୟ ମନେ କରାଯାଉଥିବା ଅତିଥିଙ୍କ ସୁବିଧା ଓ ଭବ୍ୟ ସ୍ବାଗତକୁ ପ୍ରାଧାନ୍ୟ ଦିଆଯାଇଥାଏ । ସମାନ ଭାବେ ନ୍ୟୁଜିଲାଣ୍ଡରେ ଥିବା ‘ମାଓରୀ’ ସମ୍ପ୍ରଦାୟରେ ସ୍ବାଗତର ରହିଛି ନିଆରା ପରମ୍ପରା ‘ହୋଙ୍ଗୀ’ । ସେ ଯେତେ ଶକ୍ତିଶାଳୀ ବ୍ୟକ୍ତି ହେଉ ନା କାହିଁକି, ନ୍ୟୁଜିଲାଣ୍ଡ ଆସିବା ମାତ୍ରେ ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ ମାଓରୀ ସମ୍ପ୍ରଦାୟର ହୋଙ୍ଗୀ ସ୍ବାଗତ ପରମ୍ପରା ।
ପୂର୍ବ ପଲିନେସିଆରୁ 1320ରୁ 1350 ଶତାବ୍ଦୀ ମଧ୍ୟରେ ନ୍ୟୁଜିଲାଣ୍ଡ ଆସି ବସତି ସ୍ଥାପନ କରିଥିବା ମାଓରୀ ସମ୍ପ୍ରଦାୟ ନିଜ ଭିନ୍ନ ପ୍ରଥା ପାଇଁ ବିଶ୍ବରେ ସୁପରିଚିତ । ଏହାର ଏକ ପ୍ରସିଦ୍ଧ ସ୍ବାଗତ ପରମ୍ପରା ହେଉଛି ‘ହୋଙ୍ଗୀ’ । ମାଓରୀମାନଙ୍କର ବିଶ୍ବାସ ରହିଛି କି ଅତିଥିମାନେ ସ୍ବର୍ଗର ଦେବତା ଓ ମାଓରୀମାନେ ହେଉଛି ପୃଥିବୀବାସୀ । ଅତିଥିମାନେ ଭଗବାନଙ୍କ ଦୂତ । ତେଣୁ ସେମାନଙ୍କୁ ସ୍ବାଗତ କରିବା ପାଇଁ ନିଃଶ୍ବାସ ଆଦାନ ପ୍ରଦାନ କରିବାକୁ ଯାଇ ନାକକୁ ନାକ ଛୁଆଇଁବାର ପ୍ରଥା ରହିଛି । ସେ ବ୍ରିଟିଶ ରାଜକୀୟ ପରିବାରର ପ୍ରିନ୍ସ ଚାର୍ଲ୍ସ, ପ୍ରିନ୍ସ ହ୍ୟାରୀ, ମେଘନା ମାର୍କେଲ ହୁଅନ୍ତୁ ବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ସମସ୍ତଙ୍କୁ ନ୍ୟୁଜିଲାଣ୍ଡର ଏହି ଅଦ୍ଭୁତ ପରମ୍ପରା ବଶୀଭୂତ କରିଥିଲା । ସେମାନଙ୍କୁ ମଧ୍ୟ ଏହି ପରମ୍ପରାରେ ସ୍ବାଗତ କରାଯାଇଥିଲା ।
ହେଲେ ଏହି ପରମ୍ପରା ଉପରେ ଘୋଟିଛି କୋରୋନା ବିପଦର ବାଦଲ । ଏହା ଦ୍ବାରା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏହାକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପପ୍ରଧାନମନ୍ତ୍ରୀ ୱିନଷ୍ଟୋନ ପିଟର୍ସ । ଯାହାକୁ ବିରୋଧ କରି ଏହି ପରମ୍ପରା ବଦଳରେ ‘ହ୍ୟାଣ୍ଡଶେକ୍’ ବା ହାତ ମିଳାଇବା ପରମ୍ପରାକୁ ବନ୍ଦ କରିବା ପାଇଁ ଦାବି ଉଠାଇଛନ୍ତି ମାଓରୀ ସମ୍ପ୍ରଦାୟ ଦଳ ମୁଖ୍ୟ ଡେବୀ ନାଗରେୱା । ତେବେ ଏସମସ୍ତ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି କି ଏହାର ନିଷ୍ପତ୍ତି ମାଓରୀ ସମ୍ପ୍ରଦାୟର ଲୋକଙ୍କ ଉପରେ ଛଡାଯାଉ ।
ଏହି ପ୍ରକ୍ରିୟା ଆଗାମୀ ଦିନ ପାଇଁ କେତେ ଫଳପ୍ରଦ ହେବ ତାହା ସମ୍ପ୍ରଦାୟର ଲୋକ୍ ବେଶୀ ଭଲ ବିଚାର କରିପାରିବେ । ଏଥିସହ ନ୍ୟୁଜିଲାଣ୍ଡରେ ସବୁଠାରୁ କଡା ଲକଡାଉନ ନିୟମ ପାଳନ ହେଉଥିବାରୁ ଏହାର କୋରୋନା ସହ ଅତି ଚମତ୍କାର ଢଙ୍ଗରେ ମୁକାବିଲା କରିଥିବା ସାରା ବିଶ୍ବ ଦେଖିଛି । ଏନେଇ ମେ 14ରୁ ନ୍ୟୁଜିଲାଣ୍ଡରେ ସମସ୍ତ କଟକଣା କୋହଳ ହେବା ନେଇ ପୂର୍ବରୁ ଜାକିଣ୍ଡା ଘୋଷଣା କରିସାରିଛନ୍ତି ।
@IANS