ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରି ୟୁକ୍ରେନ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଏନେଇ ଜିନହୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି । ୟୁକ୍ରେନ ପରିସ୍ଥିତି ନେଇ ଋଷ ଏବଂ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ବୁଝାମଣା ପ୍ରକ୍ରିୟା ସମ୍ପର୍କରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନିଜର ମୂଲ୍ୟାଙ୍କନ କରିଛନ୍ତି । ମସ୍କୋ-କିଭ ଶାନ୍ତି କଥାବାର୍ତ୍ତା ଏବଂ ୟୁକ୍ରେନରେ ଋଷର ସ୍ବତନ୍ତ୍ର ସାମରିକ ଅପରେସନର ବିକାଶ ଉପରେ ପୁଟିନ ଆଲୋଚନା କରିଛନ୍ତି । ଏହାପୂର୍ବରୁ ବୁଧବାର ପୁଟିନ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରି ସମାନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ସୂଚନାନୁସାରେ ୨୮ଦିନରେ ପହଁଚିଛି ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଘନଘନ ମିସାଇଲ, ବୋମା ଓ ରକେଟ ମାଡ଼ କରୁଛି ଋଷ । ଋଷ ସେନା ଗୋଟେ ପରେ ଗୋଟେ ସହରକୁ ଅକ୍ତିଆର କରୁଥିବାବେଳେ ମାକାରିଭ ଓ ମାରିଓପୋଲକୁ କବଜା କରିଥିବା ଲକ୍ଷ୍ୟରେ ଆକ୍ରମଣ ବୃଦ୍ଧି କରିଛି । ସେପଟେ ରାଜଧାନୀ କିଭକୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ୟୁକ୍ରେନ । ଏହା ଭିତରେ ଋଷ ସେନାର ମୁଖପାତ୍ର ଡିମିତ୍ରୀ ପେସକୋଭ କହିଛନ୍ତି ଯଦି ଦେଶ କୌଣସି ବିପଦର ସମ୍ମୁଖୀନ ହୁଏ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ।