ସାନ ଫ୍ରାନ୍ସିସକୋ: ପୁରା ବିଶ୍ବ ଏବେ ମହାମାରୀ କୋରୋନା ବିରୋଧରେ ଲଢୁଛି । କୋରୋନାର ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ଉଠାଉଛନ୍ତି ବିଭିନ୍ନ ଦେଶ । କୋରୋନା ଆତଙ୍କକୁ ନଜରରେ ରଖି କାଲିଫର୍ନିଆ କାରାଗାରରେ ବନ୍ଦ ଥିବା 8,000 ଅନ୍ତେବାସୀଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡିଛି । ସେମାନଙ୍କୁ ଅଗଷ୍ଟ ଶେଷ ସୁଦ୍ଧା ମୁକ୍ତ କରାଯିବ । କୋରୋନା ପ୍ରସାରକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କାଲିଫର୍ନିଆର ସଂଶୋଧନ ଏବଂ ପୁନର୍ବାସ ବିଭାଗ ଘୋଷଣା କରିଛି ।
ଶୁକ୍ରବାର ଏକ ବିବୃତ୍ତି ଜାରି କରି ବିଭାଗ କହିଛି, ସବୁଠାରୁ କମ ଜନସଂଖ୍ୟା ବିଶଷ୍ଟ ଦେଶକୁ କୋରୋନାରୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟର କାରାଗାରରେ ବନ୍ଦ ଥିବା 8,000 ଅନ୍ତେବାସୀଙ୍କୁ ଅଗଷ୍ଟ ଶେଷ ସୁଦ୍ଧା ମୁକ୍ତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହା ପୂର୍ବରୁ ଦେଖାଦେଇଥିବା ମହାମାରୀ ସମୟରେ ପ୍ରାୟ 10,000 ଅନ୍ତେବାସୀଙ୍କୁ ମୁକ୍ତ କରାଯାଇଥିଲା ।
ଏହି ପଦକ୍ଷେପ ଗୁରୁବାର କାଲିଫର୍ନିଆ ରାଜ୍ୟପାଳଙ୍କ ଚେତାବନୀକୁ ଅନୁସରଣ କରି ନିଆଯାଇଛି । ଉତ୍ତର କାଲିଫର୍ନିଆରେ ଅବସ୍ଥିତ ସାନ କ୍ୱେଣ୍ଟିନ୍ ଜେଲରେ କୋରୋନା ସଂକ୍ରମଣ ବଢିବାରେ ଲାଗିଥିଲା । ଯାହା କର୍ତ୍ତୃପକ୍ଷଙ୍କ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି। ସାନ କ୍ୱେଣ୍ଟିନରେ ପ୍ରାୟ 4,000 କର୍ମଚାରୀ ଏବଂ ଅନ୍ତେବାସୀ ବାସ କରନ୍ତି । ବିଭାଗୀୟ ତଥ୍ୟ ଅନୁଯାୟୀ ସେଠାରେ ଏବେସୁଦ୍ଧା 1,336 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି । ଗତ ଦୁଇ ସପ୍ତାହ ମଧ୍ୟରେ 506 ଟି ନୂଆ ମାମଲା ସାମ୍ନାକୁ ଆସିଛି ।
ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କାଲିଫର୍ନିଆର ସଂଶୋଧନ ଏବଂ ପୁନର୍ବାସ ବିଭାଗରେ ପ୍ରାୟ 5,850ନି କୋରୋନା ମାମଲା ସାମ୍ନାକୁ ଆସିଛି । ଏଥିରେ 31 ଜଣ ମୃତ୍ୟୁ ଘଟିଥିବା ବେଳେ 2,319 ଟି ସକ୍ରିୟ ମାମଲା ରହିଛି ।
ତେବେ 180 ଦିନ କିମ୍ବା ତା’ଠାରୁ କମ୍ ଦିନ ରହିଥିବା ଅନ୍ତେବାସୀଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯିବ । ଯେଉଁମାନଙ୍କର ଦଣ୍ଡାଦେଶ ଏକ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ରହିଥାଏ ସେମାନଙ୍କୁ ମୁକୁଳାଯିବ । ତେବେ ଏହି ନୂତନ ପ୍ରୟାସ ମାଧ୍ୟମରେ ବର୍ତ୍ତମାନ ପ୍ରାୟ 8,000 ପର୍ଯ୍ୟନ୍ତ ଅନ୍ତେବାସୀ ମୁକ୍ତ ହେବା ପାଇଁ ଯୋଗ୍ୟ ହେବେ ବୋଲି ବିଭାଗ କହିଛି ।