ମସ୍କୋ: ଋଷରେ କୋରୋନା ପରିସ୍ଥିତି ଭୟଙ୍କର ପାଲଟୁଛି । ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି । ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଗତ 24 ଘଣ୍ଟାରେ 174 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଗୋଟିଏ ଦିନରେ କୋରୋନା ମୃତ୍ୟୁ ହେବାରେ ଏହା ସର୍ବାଧିକ ବୋଲି ଜଣାପଡିଛି । ପୂର୍ବରୁ ମଙ୍ଗଳବାର ମଧ୍ୟ ସମାନ ସଂଖ୍ୟକ ମୃତ୍ୟୁ ହୋଇଥିଲା । ଏବେ ସୁଦ୍ଧା ଏଠାରେ ମୋଟ 4142 ଲୋକଙ୍କର ମହାମାରୀରେ ପ୍ରାଣ ଯାଇଛି । ସେହିପରି 1 ଲକ୍ଷ 51 ହଜାରରୁ ଅଧିକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।
ତେବେ ସ୍ବାସ୍ଥ୍ୟ ଅଧିକାରୀ ଆଗାମୀ ଦିନରେ ଅଧିକ ମୃତ୍ୟୁ ହେବ ବୋଲି ସତର୍କ କରିଛନ୍ତି । ଏପ୍ରିଲ ଅପେକ୍ଷା ମେ ମାସରେ ମୃତ୍ୟୁସଂଖ୍ୟା ବେଶୀ ରହିଛି ବୋଲି ଜଣାପଡିଛି । ଏପ୍ରିଲରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ଏବେ ମୃତ୍ୟୁ ହୋଇଥିବା ଖବର ରହିଛି । ଫଳରେ ଏବେ ଦେଶର ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଗତ 24 ଘଣ୍ଟାରେ ପ୍ରାୟ 8000 ଉପରେ କେସ ସ୍ପଷ୍ଟ ହୋଇଛି । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ପାର କରିଛି । ତେବେ ଲଗାତାର 5 ଦିନ ହେବ କୋରୋନା ଆକ୍ରାନ୍ତ 9000 ତଳେ ରହିଥିବାରୁ ବୁଧବାର ଋଷ ରାଷ୍ଟ୍ରପତି ପୁତିନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ।
ତେବେ ସବୁଠାରୁ ଅଧିକ ପ୍ରଭାବିତ ମସ୍କୋରେ ଏପ୍ରିଲ 23 ପରେ ପ୍ରଥମ ଥର କମ ସଂଖ୍ୟକ ନମ୍ବର ବାହାରିଛି । ଏଠାରେ 24 ଘଣ୍ଟାରେ 2054 ମାମଲା ସ୍ପଷ୍ଟ ହୋଇଛି । ଆମେରିକା ଓ ବ୍ରାଜିଲ ପରେ ବିଶ୍ବରେ କୋରୋନା ଆକ୍ରାନ୍ତ ହେବାରେ ଋଷ ତୃତୀୟ ସ୍ଥାନରେ ରହିଛି ।