ନୂଆଦିଲ୍ଲୀ: ୟୁରୋପୀୟ ମେଡିସିନ ଏଜେନ୍ସି କୋରୋନା ଚିକିତ୍ସା ପାଇଁ ପ୍ରଥମ ଔଷଧ ଭାବରେ ରେମଡେସିଭିରକୁ ଅନୁମୋଦନ କରିଛି। ପରୀକ୍ଷା ସମୟରେ ମେଡିକାଲରେ ଭର୍ତ୍ତି ଥିବା ଆକ୍ରାନ୍ତ ଏହି ଔଷଧ ମାଧ୍ୟମରେ ଶୀଘ୍ର ସୁସ୍ଥ ହୋଇଥିଲେ ବୋଲି ଜଣାପଡିଥିଲା ।
ମେଡିସିନ ଏଜେନ୍ସି କହିଛି ଯେ, ସର୍ତ୍ତମୂଳକ ଭାବରେ ରେମଡେସିଭିରକୁ ମାର୍କେଟିଂ ପାଇଁ ଅନୁମତି ଦିଆଯାଇଛି । ନିମୋନିଆ ଥିବା ଏବଂ ଅକ୍ସିଜେନ ଆବଶ୍ୟକ କରୁଥିବା 12 ବର୍ଷରୁ ଅଧିକ ରୋଗୀଙ୍କ ଉପରେ ଏହି ଔଷଧ ବ୍ୟବହାର କରାଯିବ।
ୟୁରୋପୀୟ ମେଡିସିନ ଏଜେନ୍ସି (ଇଏମଏ) କହିଛନ୍ତି ଯେ,ରେମଡେସିଭିର ୟୁରୋପୀୟ ସଂଘରେ କୋରୋନା ଚିକିତ୍ସା ପାଇଁ ମାନ୍ୟତା ପାଇଥିବା ପ୍ରଥମ ଔଷଧ ଅଟେ । ଗତ ମାସରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଜରୁରୀକାଳୀନ ପରିସ୍ଥିତିରେ କୋରୋନା ରୋଗୀଙ୍କୁ ଏହି ଔଷଧ ଦେବାପାଇଁ ଅନୁମତି ଦେଇଥିଲା।
ଭାରତରେ ରେମଡେସିଭିର ଔଷଧ ଉତ୍ପାଦନ ଏବଂ ବିକ୍ରୟ ପାଇଁ ଅନୁମତି ମିଳିବା ପରେ ହେଟେରୋ ହେଲ୍ଥ କେୟାର ଏହାର ଉତ୍ପାଦନ ଆରମ୍ଭ କରିଛି । ଏଥିସହ ଏହାର ପ୍ରଥମ ସିପମେଣ୍ଟ ପ୍ରସ୍ତୁତ ହୋଇ ପାଞ୍ଚଟି ରାଜ୍ୟକୁ ପଠାଯାଇଛି। ଏପଟେ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ କୋରୋନା ଚିକିତ୍ସା ପାଇଁ ବହୁ ପରିମାଣର ରେମଡେସିଭିର ଏବଂ ଫେଭିପିରାଭିର ଔଷଧ କିଣିବେ ।