ଲଣ୍ଡନ: ନିକଟରେ ଲଣ୍ଡନରେ ଜୋର ଧରିଥିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ । ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାରେ କମ୍ପିଥିଲା ଲଣ୍ଡନର ଗଳିକନ୍ଦି । ହେଲେ ଏହି ବିକ୍ଷୋଭକାରୀ ଲଣ୍ଡନରେ ଅନେକ ହିଂସାତ୍ମକ କାଣ୍ଡ ଯଥା ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ମୂର୍ତ୍ତି ସମେତ ଅନେକ ଅନ୍ୟ ମହାନାୟକଙ୍କ ମୂର୍ତ୍ତି ଆଦି ଭାଙ୍ଗିଥିବା ଦେଖାଯାଇଥିଲା । ତେବେ ଏହି କାଣ୍ଡରେ ସାମିଲ 35 ଦୁର୍ବୃତ୍ତଙ୍କ ଫଟୋ ଜାରି କରିଛି ସ୍କଟଲାଣ୍ଡ ୟାର୍ଡ ।
ସୂଚନା ଅନୁଯାୟୀ ୟୁକେରେ ଜୁନ 13ରେ ବ୍ଲାକ ଲାଇଭ୍ସ ମ୍ୟାଟର ସପକ୍ଷରେ ଥିବା ବିକ୍ଷୋଭକାରୀ ଓ ୟୁକେ ରାଜଧାନୀରେ ସମସ୍ତ ମୂର୍ତ୍ତୀର ସୁରକ୍ଷା ଦାୟିତ୍ବରେ ଥିବା ସମାଜସେବୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ବିକ୍ଷୋଭକାରୀଙ୍କ ଉଗ୍ର ବ୍ୟବହାର ପାଇଁ ସାର୍ବଜନୀନ ସମ୍ପତ୍ତି ନଷ୍ଟ ଓ ହିଂସାତ୍ମକ ପରିବେଶ ସୃଷ୍ଟି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 230 ଜଣ ଗିରଫ ହୋଇସାରିଥିବା ବେଳେ ଅନ୍ୟ ସମ୍ପୃକ୍ତଙ୍କ ସନ୍ଧାନ ଜାରି ରହିଛି । ସେପଟେ ଗିରଫଙ୍କ ମଧ୍ୟରେ 128 ଜଣ ଜୁନ 13ରେ ହୋଇଥିବା ସଂଘର୍ଷରେ ସାମିଲ ରହିଥିବା ଜଣାପଡିଛି ।
ତେବେ ୟୁକେରେ ଏପରି ହିଂସା ଘଟାଇଥିବା ବିକ୍ଷୋଭକାରୀଙ୍କୁ ଧରିବା ପାଇଁ ବର୍ତ୍ତମାନ ସାଧାରଣ ଲୋକଙ୍କ ସାହାଯ୍ୟ ନିଆଯାଉଥିବା ୟୁକେ ପୋଲିସ ସୂଚନା ଦେଇଛି । ଏଥିରେ ଲୋକେ ଦେଇଥିବା ସୂଚନା ଅନୁଯାୟୀ ବିକ୍ଷୋଭକାରୀଙ୍କ ମଧ୍ୟରୁ କିଛି ଦୁର୍ବୃତ୍ତ ଲୋକଙ୍କୁ ଏହି ହିଂସାର ସାମିଲ ହେବା ପାଇଁ ଉସୁକାଇଥିଲେ । ଏଥିସହ ଲୋକଙ୍କୁ କ୍ରୋଧାନ୍ବିତ କରିବା ଭଳି କଥା କହି ହିଂସାକାଣ୍ଡ ଘଟାଇଥିଲେ । ସେପଟେ ସ୍କଟଲାଣ୍ଡ ୟାର୍ଡର ତଦନ୍ତ ଜାରି ରହିଛି । ଆଗକୁ ଆହୁରି ଅନେକ ସମ୍ପୃକ୍ତଙ୍କ ଫଟୋ ଜାରି କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛି ।
@IANS