ନୂଆଦିଲ୍ଲୀ: ମହାମାରୀ କୋରୋନା ଏବ ଚୀନରେ ଦୁର୍ବଳ ହେବାକୁ ଲାଗିଥିବା ବେଳେ ଚୀନ ବାହାରେ କାୟା ବିସ୍ତାର କରିବାରେ ଲାଗିଛି । ତେବେ ଗତ 24 ଘଣ୍ଟାରେ ଇଟାଲୀରେ କୋରୋନା ଭାଇରସ କାରଣରୁ 475 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସଂକ୍ରମିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଏହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ହୋଇଥିବା ପ୍ରଥମ ଦେଶ ଅଟେ ।
ସେହିପରି ଏହି ମାରାତ୍ମକ ଭାଇରସ କାରଣରୁ ବ୍ରିଟେନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 104ରେ ପହଞ୍ଚିଛି । ଏହାଛଡା ସ୍ପେନରେ ଗତ 24 ଘଣ୍ଟାରେ 1890 ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହି କ୍ରମରେ ସ୍ପେନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 13716ରେ ପହଞ୍ଚିଛି । ସ୍ପେନରେ କୋରୋନା କାରଣରୁ 598 ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।
ତେବେ ଏହି କ୍ରମରେ ଦ୍ବିତୀୟରେ ରହିଛି ଇରାନ । ଯେଉଁଠାରେ ଗତ 24 ଘଣ୍ଟାରେ 1192ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 17361ରେ ପହଞ୍ଚିଛି । ତେବେ ଇରାନରେ କୋରୋନା କାରଣରୁ 1135 ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।
ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତ ସଂଖ୍ୟା ଦୁଇ ଲକ୍ଷକୁ ଟପିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା 8312ରେ ପହଞ୍ଚିଛି । ଏହାସହ ଏହି କୋରାନା କବଳରୁ 83 ହଜାର 230 ଜଣ ଆରୋଗ୍ୟ ହୋଇଛନ୍ତି । ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶରେ କୋରୋନାର ଆତଙ୍କ ଜାରି ରହିଛି ।