ଡବଲିନ: କୋଭିଡ-19 କଣ୍ଟାକ୍ଟ ଟ୍ରେସିଂ ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆୟରଲାଣ୍ଡ ଲଞ୍ଚ କରିଛି ଏକ କଣ୍ଟାକ୍ଟ ଟ୍ରେସିଂ ଆପ୍ । ଆପଲ୍ ଓ ଗୁଗୁଲର ମିଳିତ ଉଦ୍ୟମରେ ଏହାକୁ ବିକଶିତ କରାଯାଇଥିବା ବେଳେ ଏହା କୋରୋନା ସଂକ୍ରମିତଙ୍କ ପ୍ରତିଟି ଗତିବିଧକୁ ଟ୍ରାକ କରିବାରେ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ ଏହା ସତର୍କତାମୂଳକ ନୋଟିଫିକେଶନ ଯୋଗାଇ ଲୋକଙ୍କୁ ସଂକ୍ରମଣରୁ ରକ୍ଷା ମଧ୍ୟ କରିପାରେ । ଦେଶବାସୀ ଏହି ‘କୋଭିଡ ଟ୍ରାକର ଆୟରଲାଣ୍ଡ’ ଆପ୍କୁ ସିଧାସଳଖ ଆପ୍ ଷ୍ଟୋର ସହ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ।
ଏହି ଆପ୍ ଦ୍ବାରା ୟୁଜର୍ସ ଯଦି ନିକଟରେ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥାଆନ୍ତି ତେବେ ନୋଟିଫିକେଶନ ଦ୍ବାରା ଅବଗତ ହୋଇପାରିବେ । ଏଥିସହ ଯଦି ଅନ୍ୟ କୌଣସି ୟୁଜର ପଜିଟିଭ ଚିହ୍ନଟ ହୁଅନ୍ତି ତାହା ମଧ୍ୟ ଏହି ଆପ୍ରେ ଜଣା ଯାଇପାରିବ । ସେପଟେ କୌଣସି ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟାରେ ଏହି ଆପ୍ ଜରିଆରେ ୟୁଜର୍ସ ସହଜରେ ସାମିଲ ହୋଇପାରିବେ । ତେବେ ଏହି ଆପ୍ ଦ୍ବାରା ନିଜ ବ୍ୟକ୍ତିଗତ ତଥ୍ୟକୁ ୟୁଜର୍ସ ସମ୍ପୂର୍ଣ୍ଣ ସ୍ବାଧୀନତାର ସହ ନିୟନ୍ତ୍ରଣ କରିପାରିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଷ୍ଟିଫେନ ଡୋନେଲି ।
ଏହି ଆପ୍ରେ କୌଣସି ସଂକ୍ରମିତ ୟୁଜର୍ସଙ୍କ ଅନୁମତିରେ ହିଁ ତାଙ୍କ ତଥ୍ୟ ଆଖପାଖର ଲୋକଙ୍କ ସହ ଶେୟାର କରାଯାଇପାରିବ । ଏହା ଏକ ଶକ୍ତିଶାଳୀ ଟୁଲ ଆକାରରେ ଦେସବାସୀଙ୍କ ତଥ୍ୟ ପାଇବାରେ ସାହାଯ୍ୟ କରିବ ବୋଲି ମଧ୍ୟ ଡୋନେଲି ସ୍ପଷ୍ଟ କରିଛନ୍ତି । ତେବେ କେବଳ ଆୟରଲାଣ୍ଡ ନୁହେଁ ବରଂ ଅନ୍ୟ ରାଷ୍ଟ୍ର ଯଥା ସ୍ବିଜରଲ୍ୟାଣ୍ଡ, ଲାଟଭିଆ, ଇଟାଲୀ, ଜର୍ମାନୀ, ପୋଲାଣ୍ଡ ଓ ସାଉଦି ଆରବରେ ଗୁଗୁଲ ଓ ଆପଲର ମିଳିତ ଉଦ୍ୟମରେ ଏହିପରି ଆପ୍ କାର୍ୟକାରୀ ହେଉଛି । ସେପଟେ ୟୁକେ କଣ୍ଟାକ୍ଟ ଟ୍ରେସିଂ ପାଇଁ ନିଜସ୍ବ ଆପ୍ର ବ୍ୟବହାର କରୁଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ