ଲଣ୍ଡନ: ବ୍ରିଟେନରେ ଷଷ୍ଠ ସପ୍ତାହରେ ପହଞ୍ଚିଛି କୋରୋନା ଲକଡାଉନ । ଏମିତିରେ ବଢିଥିବା ଦିନ ସହ ଧିରେ ଧିରେ ଅଧୈର୍ଯ୍ୟ ହେବାରେ ଲାଗିଛନ୍ତି ବ୍ରିଟିଶ ନାଗରିକ । ଆଉ ଯଥା ସମ୍ଭବ ସମୟରେ ଏମାନେ ନିୟମ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳୁଛି । ମୁଖ୍ୟତଃ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ କଡାକଡି ହେଉଥିବା ବେଳେ ଏହାକୁ ଏବେ ଅମାନ୍ୟ କରିବାରେ ଲାଗିଛନ୍ତି ନାଗରିକ ।
ଘରେ ବସି ବସି ଆଉ ସରକାରୀ କଟକଣାକୁ ସହି ପାରୁନାହାନ୍ତି ବ୍ରିଟିଶର । ଏନେଇ ଟିକେ ସୁବିଧା ମିଳିଲେ ଲୋକେ ଶହ ଶହ ସଂଖ୍ୟାରେ ହୋଭ ସମୂଦ୍ର କୂଳରେ ଏକାଠି ହେଉଥିବା ବେଳେ ଇଷ୍ଟ ସସେକ୍ସରେ ମଧ୍ୟ ଜମୁଛି ଭିଡ । ସେପଟେ କେବେ ଆଇସକ୍ରିମ ବାହାନାରେ ତ କେବେ ପୁଣି ମର୍ଣ୍ଣଂ ଓ ଇଭିନିଂ ୱାକ ନାଁ ଭାଙ୍ଗୁଛି ସାମାଜିକ ଦୂରତା ନିୟମ । ଅନ୍ୟପଟେ ଦେଶରେ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ପରିଲକ୍ଷିତ ହେବା ସତ୍ତ୍ବେ ବର୍ତ୍ତମାନ ନିୟମ କୋହଳ କରିବା ଅତି ବିପଦପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ ।
ସରକାର ଏନେଇ କହିଛନ୍ତି କି ଲୋକଙ୍କୁ ଦୈନିକ ଆବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ଢିଲା ଛଡାଯାଇଛି । ଏଥିସହ ଏହା ସେମାନଙ୍କ ଶାରିରୀକ ସୁସ୍ଥତା ପାଇଁ ମଧ୍ୟ ଜରୁରୀ । ହେଲେ ଲୋକେ ଏହାର ଲାଭ ଉଠାଇବାକୁ ଯାଇ ମନ ଇଚ୍ଛା ବୁଲୁଥିବା ଦେଖିବାକୁ ମିଳୁଛି । ତେଣୁ ଏହାକୁ ବନ୍ଦ କରି ଘରେ ରହି ସୁରକ୍ଷିତ ରହିବା ପାଇଁ ଲୋକଙ୍କ ଅପିଲ କରାଯାଇଛି । ଏଥିସହ ବିନା କୌଣସି ଭୁଲରେ ସାମାଜିକ ଦୂରତା ମାନିବାକୁ ମଧ୍ୟ କୁହାଯାଇଛି । ସୂଚନା ଅନୁଯାୟୀ ଦେଶରେ ଆକ୍ରାନ୍ତ ସଂଖ୍ୟା 1,49,569ରେ ଥିବା ବେଳେ ମୃତ୍ୟୁ ସଂଖ୍ୟା 20,381 ରେ ପହଞ୍ଚିଛି ।