ଲଣ୍ଡନ: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ସଂସଦରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକ୍ ତାର ନାଗରିକଙ୍କୁ ମୌଳିକ ଅଧିକାର ଦେବାର ଗ୍ୟାରେଣ୍ଟି ନେବାକୁ ସେ ଆହ୍ବାନ କରିଛନ୍ତି । ବୁଧବାର ବ୍ରିଟିଶ୍ ସଂସଦରେ ନାଗରିକଙ୍କ ମୌଳିକ ଅଧିକାର ପ୍ରସଙ୍ଗ ଉଠାଇ ବୋରିଶ, ପାକିସ୍ତାନକୁ ଏହାର ଗ୍ୟାରେଣ୍ଟି ନେବାକୁ ଆହ୍ବାନ କରିଛନ୍ତି ।
ସାଂସଦ ଇମ୍ରାନ ଅହମ୍ମଦ ଖାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି କହିଛନ୍ତି । ପାକିସ୍ତାନରେ ନାଗରିକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଇମ୍ରାନ ପଚାରିଥିବା ପ୍ରଶ୍ନର ଉତ୍ତରରେ ବୋରିଶ କହିଛନ୍ତି,‘ଆମେ ପାକିସ୍ତାନ ସରକାରଙ୍କୁ ଆହ୍ବାନ କରୁଛୁ ଯେ, ସେମାନେ ସେମାନଙ୍କ ନାଗରିକଙ୍କୁ ମୌଳିକ ଅଧିକାର ଦେବାକୁ ଗ୍ୟାରେଣ୍ଟି ନିଅନ୍ତୁ ।
ସଂସଦରେ ଅହମ୍ମଦ ଖାନ ନିଜର ବକ୍ତବ୍ୟ ରଖିବା ସମୟରେ କହିଥିଲେ ଯେ, ‘କୋଭିଡ୍ 19 କାଳରେ ମାନବିକତାକୁ ମାରିଦେବା ଉଚିତ୍ ନୁହେଁ । ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେବା ମଧ୍ୟ ଉଚିତ୍ ନୁହେଁ ।’ ଏହାସହ ରବିବାର ପାକିସ୍ତାନର ପେଶୱାରରେ ଅହମଦି ନାଗରିକଙ୍କୁ ହୋଇଥିବା ହତ୍ୟା ଘଟଣାକୁ ସେ ମନେ ପକାଇଦେଇଥିଲେ ।
ସେ କହିଥିଲେ ଯେ, ‘82 ବର୍ଷୀୟ ମହମ୍ମଦ ଅହମଦ ଖାନଙ୍କୁ ରବିବାର ହତ୍ୟା କରାଯାଇଛି । ସେ ନିଜକୁ ଅହମଦି ମୁସଲିମ କହୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ।’ ଯାହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପାକିସ୍ତାନକୁ କିଛି ପଦକ୍ଷେପ ନେବାକୁ ଆହ୍ବାନ କରନ୍ତୁ ବୋଲି ସେ କହିଥିଲେ ।
ଯାହାର ଜବାବ ଦେଇ ପ୍ରଧାନମନ୍ତ୍ରୀ ବୋରିଶ ପାକିସ୍ତାନରେ ନାଗରିକଙ୍କୁ ମୌଳିକ ଅଧିକାର ଦେବାର ଗ୍ୟାରେଣ୍ଟି ନେବାକୁ ଆହ୍ବାନ କରିଛନ୍ତି ।
@ANI