ଲଣ୍ଡନ: ବ୍ରିଟେନର ଶାସକ ଦଳକୁ ଲଗାତାର ମିଳୁଛି ଝଟକା । ପ୍ରଥମେ ଅକ୍ଟୋବର 14 ଯାଏଁ ସଂସଦ ବାତିଲ । ପରେ ବ୍ରେକ୍ସିଟ ପ୍ରସଙ୍ଗରେ ଦଳୀୟ ସାଂସଦଙ୍କ ବିରୋଧ । ପୁଣି ବିରୋଧୀ ଦଳରେ ଦଳୀୟ ସାଂସଦଙ୍କ ଯୋଗଦାନ । ଏହାସହ ସଂସଦରେ ବହୁମତ ହରାଇବା ସମ୍ଭାବନା ।
ଏବେ ପୁଣି ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମୁଣ୍ଡରେ ପଡିଛି ଚଡକ । କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଭାଇ ଜୋ ଜନସନ। ଆଜି ସେ ପ୍ରଧାନମନ୍ତ୍ରୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବାର କାରଣ ଦର୍ଶାଇ ସେ କହିଛନ୍ତି ଯେ ପାରିବାରିକ ସଚ୍ଚୋଟତା ଓ ଜାତୀୟ ସ୍ବାର୍ଥ ଭିତରେ ଘାଣ୍ଟି ହେଉଥିଲେ ସେ । ଯାହାକୁ ନେଇ ଉଭୟ ସମ୍ପର୍କ ଛିଣ୍ଡାଇଛନ୍ତି।
ଜୋ ବୋରିସଙ୍କ ସରକାରରେ ବିଶ୍ବବିଦ୍ୟାଳୟ ଓ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଥିଲେ। ଟ୍ବିଟ କରି ସେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାସହ 9 ବର୍ଷ ସରକାରଙ୍କ ପାଇଁ କାମ କରିବା ଗୌରବର ବିଷୟ ବୋଲି କହିଛନ୍ତି । ତେବେ 3 ଜଣ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାମ କରିବା ତାଙ୍କ ଲାଗି ଗର୍ବର ବିଷୟ ଥିବା ଟ୍ବିଟରେ ସେ ଦର୍ଶାଇଛନ୍ତି।
ତେବେ ଭାଇଙ୍କ ଇସ୍ତଫା ବୋରିସଙ୍କ ପାଇଁ ମହଙ୍ଗା ପଡିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । କାରଣ ପୂର୍ବରୁ ଶାସକ ଦଳର କେତେକ ସାଂସଦ ବିରୋଧୀ ଦଳରେ ମିଶିଛନ୍ତି । ଫଳରେ ସଂସଦରେ ନିଜ ବହୁମତ ହରାଇଛନ୍ତି ବୋରିସ । ଖୁବଶିଘ୍ର ସାଧାରଣ ନିର୍ବାଚନ ହେବାର ସଙ୍କେତ ମଧ୍ୟ ମିଳିଛି ।
ତେବେ ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ବୋରିସ ୟୁରୋପିଆନ ୟୁନିଅନରୁ ବାହାରିବା ଜିଦରେ ଅଟଳ ଅଛନ୍ତି। ଅକ୍ଟୋବର 31 ସୁଦ୍ଧା ଏହାର ଶେଷ ସମୟସୀମା ଥିବାବେଳେ ଜନସନ ବ୍ରେକ୍ସିଟକୁ ସମର୍ଥନ କରୁଛନ୍ତି।