ବ୍ରାସିଲିଆ: କୋରୋନାରେ ଆକ୍ରାନ୍ତ ହେବାର ପ୍ରାୟ 2 ସପ୍ତାହରୁ ଅଧିକ ସମୟ ପରେ ସୁସ୍ଥ ହେଲେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ । ଏନେଇ ସେ ଖୋଦ ଘୋଷଣା କରିଛନ୍ତି । 3 ଥର କୋରୋନା ପାଇଁ ପଜିଟିଭ ପରୀକ୍ଷଣ କରିବା ପରେ ଶେଷରେ ତାଙ୍କର କୋରୋନା ରିପୋର୍ଟ ନେଗେଟିଭ ଆସିଛି ।
ଏନେଇ ରାଷ୍ଟ୍ରପତି ଶନିବାର ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି । ଯେଉଁଠି ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଫଟୋରେ ବ୍ରାଜିଲ ରାଷ୍ଟ୍ରପତି ନିଜ ବାସଭବନ ଆଲଭୋରାଡା ପ୍ୟାଲେସରେ ଜଳଖିଆ ଖାଉଥିବାର ନଜର ଆସିଛନ୍ତି।
ବୋଲସନାରୋ ଜୁଲାଇ 7 ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଆଲଭୋରଡା ପ୍ୟାଲେସରେ ସଂଗରୋଧରେ ରହିଥିଲେ । ତାଙ୍କ ସହ ଏକ ଡାକ୍ତରୀ ଦଳ ମଧ୍ୟ ସେଠାରେ ରହି ତାଙ୍କର ଚିକିତ୍ସା କରୁଥିଲେ । ସେ ନିଜ ବାସଭବନରୁ ହିଁ କାର୍ଯ୍ୟ ପରିଚାଳନା କରୁଥିଲେ । ତେବେ ବୋଲସନାରୋ 18 ଦିନରେ ଚାରିଥର କୋରୋନା ପରୀକ୍ଷା କରିଥିଲେ । ସେଥିମଧ୍ୟରୁ 3 ଥର ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଶେଷରେ ଚତୁର୍ଥ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ବ୍ରାଜିଲ ବର୍ତ୍ତମାନ ବିଶ୍ବର ଦ୍ୱିତୀୟ ସର୍ବାଧିକ କୋରୋନା ଭାଇରସ ସଂକ୍ରମଣରେ ପ୍ରଭାବିତ ହୋଇଥିବେ ଦେଶ ପାଲଟିଛି । ରବିବାର ସୁଦ୍ଧା ଦେଶରେ ମୋଟ 2,394,513 ସଂକ୍ରମଣ ମାମଲା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 86,449 କୁ ପହଞ୍ଚିଛି ।