ପ୍ୟାରିସ: ଫ୍ରାନ୍ସର ବିଏର୍ଜ ସହରରେ ଆୟୋଜିତ ହୋଇଯାଇଛି 45 ତମ G7 ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ବିଭିନ୍ନ ଦେଶରେ ରାଷ୍ଟ୍ରମୁଖ୍ୟଙ୍କ ସମେତ ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଓ ଗୁଟେରିସଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏଥର ଭାରତକୁ G7 ସମ୍ମିଳନୀରେ ଯୋଗ ଦେବା ପାଇଁ ଅତିଥି ରାଷ୍ଟ୍ର ଭାବେ ନିମନ୍ତ୍ରଣ ମିଳିଛି ।
କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘକୁ G7 ଗଠିତ । ଚଳିତ ଥର ଫ୍ରାନ୍ସରେ ଅନୁଷ୍ଠିତ ହେଉଥିବା G7 ସମ୍ମିଳନୀରେ ଭାରତ ସହ ଅଷ୍ଟ୍ରେଲିଆ, ବୁର୍କିନା ଫାସୋ, ଚିଲି, ଇଜିପ୍ଟ, ରୁଆଣ୍ଡା, ସେନେଗାଲ, ଦକ୍ଷିଣ ଆଫ୍ରିକା ଏବଂ ସ୍ପେନ ଆଦି ଦେଶ ଅତିଥି ରାଷ୍ଟ୍ର ଭାବେ ଯୋଗ ଦେବା ପାଇଁ ଆମନ୍ତ୍ରଣ ମିଳିଛି ।