ସିଓଲ: ଆମେରିକୀୟ ଉପସଚିବ ତଥା ୱାଶିଂଟନର ଆଣବିକ ମୁଖ୍ୟ ଦୂତ ଷ୍ଟିଫେନ ବିଏଗନ ମଙ୍ଗଳବାର ସିଓଲରେ ପହଞ୍ଚିଛନ୍ତି । ଉତ୍ତର କୋରିଆର ଆଣବିକ ଶକ୍ତି ନଷ୍ଟ ଉଦ୍ଦେଶ୍ୟରେ ଆଲୋଚନା ପାଇଁ ସେ ସିଓଲରେ ପହଞ୍ଚିଥିବା ଜଣା ପଡିଛି । କିଛି ଦିନ ତଳେ ଉତ୍ତର କୋରିଆ ଆମେରିକା ସହ ବୁଝାମଣା କରିବାକୁ ମନା କରିଦେଇଥିବା ବେଳେ ଆପାତକାଳୀନ ଭାବେ ଷ୍ଟିଫେନ ତିନି ଦିନିଆ ସିଓଲ ଗସ୍ତ କରିଛନ୍ତି ।
ସୂଚନା ଅନୁଯାୟୀ ଉତ୍ତର କୋରିଆ କିଛି ଦିନ ତଳେ ଏକ ମନ୍ତବ୍ୟ ଦେଇ ପ୍ରକାଶ କରିଥିଲା କି ଆମେରିକା ସହ ମୁହାଁମୁହିଁ ହୋଇ କୌଣସି ବୁଝାମଣା କରିବା ପାଇଁ ସେ ଜରୁରୀ ଭାବୁନାହିଁ । ଏହାର କୌଣସି ଲାଭ ନଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଆଲୋଚନାର କୌଣସି ଆବଶ୍ୟକତା ନଥିବା ଉତ୍ତର କୋରିଆ ପକ୍ଷରୁ ପ୍ରକାଶ ପାଇଥିଲା । ଏନେଇ ସିଓଲ ଗସ୍ତରେ ଥିବା ଷ୍ଟିଫେନ ସିଓଲ ଆଣବିକ ଦୂତ ଲି ଡୁ ହୋନଙ୍କ ସହ ଆଲୋଚନା କରିବାର ଯୋଜନା ରହିଛି ।
ଏହି ଆଲୋଚନାରେ ଆଣବିକ ଚୁକ୍ତି ନେଇ ବୁଝାମଣାର ବଦଳିଥିବା ଗତିପଥକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏଥିସହ ଅନ୍ତଃକୋରିଆ ସୀମାରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ନେଇ ମଧ୍ୟ ଉଭୟ ଦୂତଙ୍କ ମଧ୍ୟ ଆଲୋଚନା ହେବା ନେଇ ସୂଚନା ରହିଛି । ଏହା ବାଦେ ଷ୍ଟିଫେନ ବୈଦେଶିକ ମନ୍ତ୍ରୀ କାଙ୍ଗ କ୍ୟୁଙ୍ଗ ୱା ଓ ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଚୋ ସୈ ୟଙ୍ଗଙ୍କ ସହ ସାକ୍ଷାତ କରିବାର ଯୋଜନା ରହିଛି ।
ସିଓଲରେ ଆଲୋଚନା କାର୍ଯ୍ୟକ୍ରମ ଶେଷ କରି ଷ୍ଟିଫେନ ଟୋକିୟୋ ଗସ୍ତ କରିବାର ଯୋଜନା ରହିଛି । ଜାପାନ ସହ ସମ୍ପର୍କ ସୁଦୃଢୀକରଣ ନେଇ ଆଲୋଚନା ହେବାର ଯୋଜନା ରହିଛି । ଏଥିସହ ଆଗାମୀ ଦିନରେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଆଣବିକ ସମ୍ପର୍କ ଅଧିକ ସୁଦୃଢ ଓ ସଶକ୍ତ କରିବା ପାଇଁ ମଧ୍ୟ ଆଲୋଚନା ହେବ ।
@IANS