କାବୁଲ: ତାଲିବାନ ସହ ଫେବୃଆରୀରେ ହୋଇଥିବା ଶାନ୍ତି ଚୁକ୍ତିକୁ ପାଳନ କରିଛି ଆମେରିକା । ଆଫଗାନିସ୍ତାନର ପାଞ୍ଚଟି ବେସରୁ ଆମେରିକା ନିଜ ସେନା ପ୍ରତ୍ୟାହାର କରିନେଇଛି । ଏହା ବ୍ୟତୀତ ତାଲିବାନ ସହ ହୋଇଥିବା ଚୁକ୍ତିନାମାର ଏକ ଅଂଶ ଭାବରେ ସେଠାକାର ସୈନିକ ସଂଖ୍ୟା ହ୍ରାସ କରିଛି। ଏନେଇ ପେଣ୍ଟାଗନ୍ ପକ୍ଷରୁ ଘୋଷଣା କରାଯାଇଛି ।
ଫେବୃଆରୀ 29, 2020 ରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଏହି ଚୁକ୍ତିର 135 ଦିନ ପରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ପେଣ୍ଟାଗନ୍ ମୁଖପାତ୍ର ଜୋନାଥନ୍ ହୋଫମ୍ୟାନ୍ ଏକ ବିବୃତ୍ତିରେ କହିଛନ୍ତି, ଆଫଗାନିସ୍ତାନରେ ଏବେ ଆମେରିକା ସୈନ୍ୟଙ୍କ ସଂଖ୍ୟା ହ୍ରାସ ପାଇ 8,600 ହୋଇଯାଇଛି । ନୋଟାର ପ୍ରାୟ 12,000 ସୈନିକ ରିସଲ୍ୟୁଟ ରିପୋର୍ଟ ମିଶନ ଅଧିନରେ ଆଫଗାନିସ୍ତାନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକାର 8,600 ସୈନ୍ୟ ଥିଲେ ।
ଜୋନାଥନ୍ ହୋଫମ୍ୟାନ୍ ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନରେ ଆମେରିକାର ସାମରିକ ଉପସ୍ଥିତି କ୍ଷମତା ଉପରେ ଧ୍ୟାନ ଦେଇଥାଏ । ସଂଖ୍ୟା ଉପରେ ନୁହେଁ । ଆମେ ଆମେରିକାର ଜାତୀୟ ସ୍ୱାର୍ଥ ରକ୍ଷା କରିବା ପାଇଁ ଆବଶ୍ୟକ କ୍ଷମତା ଏବଂ କର୍ତ୍ତୃପକ୍ଷ ବଜାୟ ରଖିଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଆମେରିକା ଏହାର ଦାୟିତ୍ୱକୁ ସମ୍ମାନ କରେ। ସମସ୍ତ ପକ୍ଷ ହିଂସାକୁ ହ୍ରାସ କରିବା ଏବଂ ଆଫଗାନିସ୍ତାନ ପାଇଁ ଏକ ବୁଝାମଣା ଏବଂ ସ୍ଥାୟୀ ଶାନ୍ତି ହାସଲ କରିବାକୁ ଆଲୋଚନା ଆରମ୍ଭ କରିବା ଉଚିତ ।
ଫେବୃଆରୀ ଶେଷରେ ଆମେରିକା ଏବଂ ତାଲିବାନ ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର କରି ଆଫଗାନିସ୍ତାନରେ ଆମେରିକାର ଦୀର୍ଘ ଦିନର ସମ୍ପୃକ୍ତିକୁ ସମାପ୍ତ କରିବାର ସମ୍ଭାବନା ସୃଷ୍ଟି କରିଥିଲେ । ଏହି ଚୁକ୍ତିରେ ଆମେରିକାର ସାମରିକ ବାହିନୀ, ଏହାର ସହଯୋଗୀ ତଥା ମିଳିତ ସହଯୋଗୀ ଦଳ ପ୍ରତ୍ୟାହାର ପାଇଁ 14 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି ।