ୱାଶିଂଟନ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଶନିବାର ଗାଜା ଓ ଇସ୍ରାଏଲର ଅସ୍ତ୍ରବିରତି ଘୋଷଣାକୁ ସ୍ବାଗତ କରିଛି । ଏହାଦ୍ବାରା ଦୀର୍ଘ 11ଦିନ ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିଛି । ତେବେ ଇଜିପ୍ଟର ହସ୍ତକ୍ଷେପ ପରେ ଏହି ଯୁଦ୍ଧ ବନ୍ଦ ହୋଇଥିବା ବେଳେ ପାଲେଷ୍ଟାଇନଙ୍କୁ ସହାୟତା ଯୋଗାଇବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଅନ୍ତର୍ଜାତୀୟ ସମ୍ପ୍ରଦାୟର ସାହାଯ୍ୟ ଲୋଡିଛି ।
ଉଭୟ ଦେଶ ମଧ୍ୟରେ ଗତ 21 ତାରିଖଠାରୁ ଅସ୍ତ୍ରବିରତି ନିୟମ ଲାଗୁ ହୋଇଥିଲା । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଯୁକ୍ତିକୁ ଜାତିସଂଘ ସ୍ବାଗତ କରିଛି । ଉଭୟ ଦେଶକୁ ଯୁଦ୍ଧ ବିରତି ଲାଗି ରାଜି କରିବା ପାଇଁ ଇଜିପ୍ଟ, ଅନ୍ୟାନ୍ୟ ଆଞ୍ଚଳିକ ଦେଶ, ଜାତିସଂଘ, ମଧ୍ୟ ପୂର୍ବ କ୍ବାର୍ଟେଟ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଭାଗିଦାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଅସ୍ତ୍ରବିରତି ଉଲ୍ଲଂଘନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ପରିଷଦ ଆହ୍ବାନ ଦେଇଛି ଏବଂ ହିଂସା ଯୋଗୁଁ ହୋଇଥିବା ସାଧାରଣ ନାଗରିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି ।
ସୁରକ୍ଷା ପରିଷଦର ସଦସ୍ୟମାନେ ପାଲେଷ୍ଟାଇନର ସାଧାରଣ ନାଗରିକଙ୍କୁ ବିଶେଷ କରି ଗାଜାରେ ମାନବିକ ସହାୟତା ପାଇଁ ତୁରନ୍ତ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏକ ଦ୍ରୁତ, ସ୍ଥାୟୀ ପୁନଃନିର୍ମାଣ ଏବଂ ପୁନରୁଦ୍ଧାର ପାଇଁ ମିଳିତ ଜାତିସଂଘ ଅନ୍ତର୍ଜାତୀୟ ସମ୍ପ୍ରଦାୟର ସାହାଯ୍ୟ ଲୋଡିଛନ୍ତି । ଏହି କାର୍ଯ୍ୟ ଲାଗି ଜାତିସଂଘର ସେକ୍ରେଟାରୀ ଜେନେରାଲ ଆହ୍ବାନ ଦେଇଥିଲେ ।
ଏହି ଅଞ୍ଚଳରେ ତୁରନ୍ତ ଶାନ୍ତି ବଜାୟ ରଖିବା ପାଇଁ ଜାତିସଂଘ ତତ୍ପରତା ଦେଖାଇଛି । ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସୁରକ୍ଷିତ ସୀମା ନିର୍ମାଣ କରିବା ଦ୍ବାରା ସେମାନେ ଶାନ୍ତିର ସହିତ ବସବାସ କରିବା ଉପରେ ପରିଷଦ ଗୁରୁତ୍ବାରୋପ କରିଛି । ଇଜିପ୍ଟର ଅସ୍ତ୍ରବିରତି ଚୁକ୍ତି ଶୁକ୍ରବାର ସକାଳ 2ଟା ସମୟରେ ଲାଗୁ ହୋଇଥିଲା।
@IANS