କାବୁଲ: ପଞ୍ଜଶୀର ଦଖଲ ନେଇ ଦାବି କରିବା ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଚୂଡାନ୍ତ ପ୍ରସ୍ତୁତି ଶେଷ କରିଛି । ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ତାଲିବାନ ଶାସନ ଲାଗୁହେବ ବୋଲି ସ୍ପଷ୍ଟ କରିଛି ଏହି ଆତଙ୍କୀ ସଙ୍ଗଠନ । ତେବେ ବଳ ପୂର୍ବକ, ହିଂସା ନୀତି ଆପଣାଇ ଆଫଗାନିସ୍ତାରେ ସରକାର ଗଠନ କରିବାକୁ ଯାଉଥିବା ତାଲିବାନ କେତେକ ଦେଶକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଇଛି ।
ତାଲିବାନର ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନ, ଋଷ, ଚୀନ, ତୁର୍କୀ, ଇରାନ ଓ କତାରକୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି । ଗତକାଲି(ସୋମବାର) ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ସାମ୍ବାଦିକଙ୍କୁ କହିଛନ୍ତି ଯେ, ପଞ୍ଜଶୀର କବଜା ପରେ ବର୍ତ୍ତମାନ ଯୁଦ୍ଧ ଶେଷ ହୋଇଛି । ପଞ୍ଜଶୀରର ସମସ୍ତ ୮ ଟି ଯାକ ଜିଲ୍ଲା ଆମ ନିୟନ୍ତ୍ରଣକୁ ଆସିଛି । ଏବେ ଆଫଗାନିସ୍ତାନରେ ଏକ ସ୍ଥିର ସରକାର ଗଠନ ହେବ । ପୂର୍ବ ସରକାରର ସୈନିକମାନେ ମଧ୍ୟ ଆସି ତାଲିବାନ ସହ ମିଶି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ଜବିହୁଲ୍ଲା ।
ତାଲିବାନ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, କାବୁଲ ବିମାନବନ୍ଦରରେ ଖୁବଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବ । କତାର, ତୁର୍କୀ ଓ ୟୁଏଇର ବିଶେଷଜ୍ଞ ଟିମ୍ ଆସି କାର୍ଯ୍ୟ କରୁଛନ୍ତି । ସରକାର ଗଠନ ପରେ ଦେଶ ପାଇଁ ନୂଆ ସମ୍ବିଧାନ ପ୍ରଣୟନ କରାଯିବ, ନଚେତ୍ ପୁରୁଣା ସମ୍ବିଧାନକୁ ସଂଶୋଧନ କରାଯିବ । ସମ୍ବିଧାନ ଅନୁସାରେ ସରକାର ଚାଲିବା ପରେ ସେଥିରେ ଆଉ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଜବିହୁଲ୍ଲା କହିଛନ୍ତି । ତେବେ ତାଲିବାନର ଏହି ବିଜୟ ଉତ୍ସବକୁ ନିର୍ଦ୍ଦିଷ୍ଟ ୭ ଦେଶକୁ ନିମନ୍ତ୍ରଣ ନେଇ ଚର୍ଚ୍ଚା ଜୋର ଧରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ