କାବୁଲ: ବନ୍ଧୁକମୁନରେ ଶାସନକୁ ଜନସାଧାରଣଙ୍କ ଜୋରଦାର ବିରୋଧ । ଆଫଗାନିସ୍ତାନରେ ଶୁଭୁଛି ତାଲିବାନୀ ବିରୋଧୀ ସ୍ବର । ଜନତାଙ୍କ ସ୍ବର ଦବାଇବା ପାଇଁ ଗୁଳି ଚଳାଇଛନ୍ତି ତାଲିବାନୀ ଆତଙ୍କୀ । ସୂଚନା ଅନୁଯାୟୀ, ଏହି ଗୁଳିମାଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ଜଲାଲାବାଦରେ ଜନସାଧାରଣଙ୍କ ଉପରକୁ ଗୁଳି ଚଳାଇଛନ୍ତି ତାଲିବାନ ଆତଙ୍କବାଦୀ । ଆଫଗାନିସ୍ତାନ ଜାତୀୟ ପତାକାକୁ ତାଲିବାନର ଅପମାନ ନେଇ ସାଧାରଣ ଲୋକେ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ଆଫଗାନିସ୍ତାନର ଜଲାଲାବାଦରେ ତାଲିବାନୀ ଫାଙ୍କା ଗୁଳିଚାଳନା କରିଛନ୍ତି ।
ଜଲାଲାବାଦରେ ଆଫଗାନିସ୍ତାନ ଜାତୀୟ ପତାକାକୁ ସରକାରୀ କାର୍ଯ୍ୟାଳୟରେ ଲଗାଇବାକୁ ସାଧାରଣ ଲୋକେ ଦାବି କରୁଥିଲେ । ଏହାକୁ ନେଇ ରାସ୍ତାକୁ ଓହ୍ଲାଇବା ସହ ପ୍ରଦର୍ଶନ ଜାରି ରହିଥିଲା । ଭିଡକୁ ହଟାଇବା ପାଇଁ ତାଲିବାନ ଆତଙ୍କୀଙ୍କ ପକ୍ଷରୁ ଗୁଳି ଚଳାଯାଇଥିବା କୁହାଯାଉଛି।
ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ କ୍ରମାଗତ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ବନ୍ଧୁକ ମୁନରେ ଶାସନକୁ ବିରୋଧ କରୁଛନ୍ତି ଜନତା । ଦୀର୍ଘ ୨୦ ବର୍ଷ ପରେ ନିଜ ପୂର୍ବ ଅସ୍ତିତ୍ବକୁ ଫେରିଛି ତାଲିବାନ । ସେପଟେ କାବୁଲ ଦଖଲ କରିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବଜାକୁ ନେଇସାରିଛି ତାଲିବାନ ।