ହଂକଂ: ବିଗତ କିଛି ଦିନ ହେବ ହଂକଂରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିବାରୁ କୋହଳ ହେବାକୁ ଯାଉଛି ସାର୍ବଜନୀନ ଏକତ୍ରିକରଣର ସୀମା । ପୂର୍ବରୁ ମାତ୍ର 4ଜଣଙ୍କୁ ଏକାଠି ହେବାର ନିଷ୍ପତ୍ତି ନିଆଯାଇଥିବା ବେଳେ ମେ’ ମାସ ଆରମ୍ଭରେ ଏହାକୁ 8ଜଣକୁ ବୃଦ୍ଧି କରାଯାଇଥିଲା । ଆଉ ଏବେ ଏହି ସୀମାକୁ 12ଜଣକୁ ବୃଦ୍ଧି କରାଯାଇଥିବା ସୋମବାର ଘୋଷଣା କରାଯାଇଛି ।
ଦେଶରେ ଏବେ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା 1109 ଓ ମୃତ୍ୟୁ ସଂଖ୍ୟା 4ରେ ସ୍ଥିର ରହିଛି । ଏମିତିରେ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଧିରେ ଧିରେ କୋହଳ ହେବାରେ ଲାଗିଛି ଅନେକ କଟକଣା । ଏଥିରେ ସାମାଜିକ ଦୂରତାକୁ 1.5ମିଟରକୁ ପରିବର୍ତ୍ତନ କରାଯାଇଥିବା ବେଳେ ସାର୍ବଜନୀନ ସ୍ଥାନରେ 12 ଜଣ ଲୋକେ ଏକାଠି ହୋଇପାରିବାକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ 8 ଜଣ ଲୋକେ ଏକାଠି ହେବା ନେଇ ନିୟମ ରହିଥିବା ବେଳେ ଏହାର ଅବଧି ଚଳିତ ସପ୍ତାହ ଗୁରୁବାର ଶେଷ ହେବ । ଏହିକ୍ରମରେ ଚଳିତ ସପ୍ତାହ ଶେଷ ସୁଦ୍ଧା ନୂଆ ନିୟମ ଲାଗୁ ହେବାର ସମ୍ଭାବନା ରହିଛି ।
ସେପଟେ ବାର୍, ପବ୍ ଓ ରେସ୍ତୋରାଁ ଆଦି ପୁଣି ଖୋଲିବା ନେଇ ଜଣା ପଡିଛି । ହେଲେ ଏହି ସବୁ ସ୍ଥାନମାନଙ୍କରେ ଲୋକଙ୍କ ଶରୀରର ତାପମାତ୍ରା ପରୀକ୍ଷା କରିବା ସହ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ରେସ୍ତୋରାଁ ଓ ବିୟୁଟି ପାର୍ଲରମାନଙ୍କରେ ସାମାଜିକ ଦୂରତାକୁ ସର୍ବନିମ୍ନ 1.5 ମିଟର ରଖିବା ପାଇଁ କୁହାଯାଇଛି । ପୂର୍ବରୁ ହଂକଂରେ ଧାର୍ମିକ ସ୍ଥାନମାନଙ୍କରେ ଏକତ୍ରୀକରଣକୁ ଅନୁମତି ଦିଆଯାଇଥିବା ବେଳେ ଏବେ ଏହା ସାର୍ବଜନୀନ ସ୍ଥାନରେ ମଧ୍ୟ ଲାଗୁ ହେବାକୁ ଯାଉଛି ।
@IANS