ସିଓଲ: ଦକ୍ଷିଣ କୋରିଆରେ ଥିବା ସରକାରୀଭାବେ ପଞ୍ଜୀକୃତ କାର୍ଯ୍ୟକର୍ତ୍ତା ଗୋଷ୍ଠୀର ତଦନ୍ତ କରିବେ ଏକତ୍ରିକରଣ ମନ୍ତ୍ରୀ । ବର୍ତ୍ତମାନ ତେଜିବାରେ ଲାଗିଥିବା ଅନ୍ତଃକୋରିଆନ ବିବାଦ ପାଇଁ ଦକ୍ଷିଣ କୋରିଆରୁ ପଠାଯାଇଥିବା ପ୍ୟୋଙ୍ଗ୍ୟାଙ୍ଗ ବିରୋଧି ଲିଫ୍ଲେଟ ଦାୟୀ ଥିବାରୁ ଏହା ପଠରେ କାହାର ହାତ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ପଟେ ଦକ୍ଷିଣ କୋରିଆର ଶରଣ ନେଇଥିବା ଉତ୍ତର କୋରିଆର ବିଶ୍ବାସଘାତକଙ୍କୁ ପଚରା ଉଚୁରା ଜାରି ରହିଥିବା ବେଳେ ଅନ୍ୟପଟେ ଦେଶର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଗୋଷ୍ଠୀକୁ ମଧ୍ୟ ସନ୍ଦେହ ଘେରକୁ ନିଆଯାଇଛି ।
ଗୁରୁବାର ଏନେଇ ସରକାରୀ ଭାବେ ଘୋଷଣା ମଧ୍ୟ କରାଯାଇଛି । ଏହା ପୂର୍ବରୁ ଦକ୍ଷିଣ କୋରିଆରେ ଶରଣ ନେଇଥିବା ଉତ୍ତର କୋରିଆର ଦୁଇ ବିଶ୍ବାସଘାତକ ଭାଇଙ୍କ ଘରେ ଛାନଭିନ ଆରମ୍ଭ ହୋଇଥିଲା । ସେମାନଙ୍କୁ ପଚରା ଉଚୁରା କରାଯିବା ପରେ ସେମାନଙ୍କର ସମ୍ପୃକ୍ତ ଘଟଣାରେ ହାତ ଥିବା ଜଣା ପଡିଥିଲା । ଏହାପରେ ଦେଶରେ ସେମାନଙ୍କୁ ସମସ୍ତ କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଇତି ମଧ୍ୟରେ ସେମାନଙ୍କ ସହ ଦେଶର ଅନ୍ୟ କେଉଁ ଗୋଷ୍ଠୀର ହାତ ଅଛି କି ନାହିଁ, ସେନେଇ ତଦନ୍ତ ଆରମ୍ଭ ହୋଇଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଶାନ୍ତି ଚୁକ୍ତିର ବିରୋଧୀ ହୋଇଥିବାରୁ ଦୋଷୀକୁ ଧରାଯିବାର ନିହାତି ଆବଶ୍ୟକତା ରହିଛି । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଦେଶର 25ଟି ଗୋଷ୍ଠୀକୁ ଏନେଇ ପଚରା ଉଚୁରା କରାଯିବାର ଯୋଜନା ରହିଛି । ଏଥିରୁ 13ଟି ଗୋଷ୍ଠୀ ଉତ୍ତର କୋରିଆର ବିଶ୍ବାସଘାତକଙ୍କ ଦ୍ବାରା ପରିଚାଳିତ । ସେପଟେ ଏହି ଘଟଣା ବନ୍ଦ କରିବା ପାଇଁ ସରକାର ଥରେ ଚେତାବନୀ ଦେବା ପରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ହିଲିୟମ ବେଲୁନ ସାହାଯ୍ୟରେ ପୁଣି ପ୍ରାୟ 5 ଲକ୍ଷ ଲିଫ୍ଲେଟ ସୀମା ପାର କରାଯାଇଥିଲା ।
ଉତ୍ତର କୋରିଆ ଏହି ଘଟଣାକୁ ଅନ୍ତଃକୋରିଆନ ଶାନ୍ତି ଚୁକ୍ତିର ବିରୋଧୀ କହିବା ସହ କୈସଙ୍ଗସ୍ଥିତ ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ଧ୍ବଂସ କରିଥିଲା । ଆଗକୁ ଯଦି ଏପରି କାର୍ଯ୍ୟକଳାପରେ ରୋକ ନଲାଗେ ତେବେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲା । ତେଣୁ ଆଗକୁ ଭୟଙ୍କର ପରିସ୍ଥିତିକୁ ଏଡାଇବା ପାଇଁ ଦକ୍ଷିଣ କୋରିଆ ପକ୍ଷରୁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଥିବା ଦେଖାଯାଇଛି ।
@IANS