ତେହେରାନ: ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଖସାଇ ଥିବା ନେଇ ଇରାନ ସ୍ବୀକାର କରିବା ପରେ, ଏ ଘଟଣା ସହ ଜଡିତ ଅନ୍ୟ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ଋଷ ନିର୍ମିତ ମିସାଇଲ ମାଡ କରି ୟୁକ୍ରେନ ବିମାନକୁ ଧ୍ବଂସ କରାଯାଇଥିବା ନେଇ ମଙ୍ଗଳବାର ସ୍ବୀକାର କରିଛି ଇରାନ। ଜାନୁଆରୀ 8 ତାରିଖରେ ତେହେରାନରୁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ୟୁକ୍ରେନ ବିମାନକୁ ଋଷ ନିର୍ମିତ 2ଟି ଟିଓଆର-ଏମ 1 ମିସାଇଲ ଦ୍ବାରା ଟାର୍ଗେଟ କରାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି।
ଟିଓଆର-ଏମ 1 ମିସାଇଲ ଭୂପୃଷ୍ଠରୁ ଆକାଶ ମାର୍ଗରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ଏହି ମିସାଇଲ ଋଷୀୟ ଜ୍ଞାନକୌଶଳରେ ନିର୍ମିତ। ଏହାର ବିଶେଷତ୍ବ ଏହା ଯେ, ଏହି ମିସାଇଲ ଯେକୌଣସି ପରିସ୍ଥିତିରେ ଲକ୍ଷ୍ୟଭେଦ କରିବ ପାରିବ। ଇରାନ 2017ରେ 29ଟି ଟିଓଆର-ଏମ 1 ମିସାଇଲ ଋଷ ଠାରୁ କ୍ରୟ କରିଥିଲା। ଯାହାର ବ୍ୟବହାର ସେ ୟୁକ୍ରେନ ବିମାନ ଉପରେ କରିଛି।
ଇରାନ-ଆମେରିକା ବିବାଦ ମଧ୍ୟରେ ଜାନୁଆରୀ 8 ତାରିଖରେ ୟୁକ୍ରେନ ଅନ୍ତର୍ଜାତୀୟ ବିମାନ ବୋଇଂ ୭୩୭-୮୦୦ ଇରାନର ରାଜଧାନୀ ତେହେରାନ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ବିମାନର କ୍ର୍ୟୁ ସଦସ୍ୟଙ୍କ ସହ ମୋଟ୍ ୧୭୬ ଜଣ ଯାତ୍ରୀ ଥିଲେ। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ନାଗରିକ ଏହି ବିମାନରେ ଯାତ୍ରା କରୁଥିଲେ। ପ୍ରଥମେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଥିଲା। ହେଲେ ପରେ ଇରାନ ମିସାଇଲ ମାଡି କରି ଏହି ବିମାନକୁ ଖସାଇ ଦେଇଥିବା ନେଇ ଖୋଦ ଇରାନ ସ୍ବୀକାର କରିବା ସହ, ଏହା ଭୁଲବଶତଃ ହୋଇଥିବା କହିଥିଲା।