ମୁଜାଫରାବାଦ(ପିଓକେ): ପାକିସ୍ତାନରେ ପିଓକେବାସୀଙ୍କ ଦୁଃଖ ଥମିବାର ନାମ ନେଉନି । ସବୁବେଳେ ପାକ୍ ସରକାରଙ୍କ ଦ୍ବାରା ଅବହେଳାର ଶିକାର ପିଓକେବାସୀ କୋରୋନା ଭଳି ଦୁଃସ୍ଥିତିରେ ମଧ୍ୟ ଏକୁଟିଆ ପଡିଯାଇଛନ୍ତି । ବିଭିନ୍ନ ପ୍ରକାର ଅବ୍ୟବସ୍ଥା ମଧ୍ୟରେ ସେମାନେ ରହୁଥିବାବେଳେ କୌଣସି ଅଧିକାରୀ ସେମାନଙ୍କ କଥା ବୁଝୁନଥିବା ଅଭିଯୋଗ କରିଛନ୍ତି ।
ପାକିସ୍ତାନରେ ଦେଶବ୍ୟାପୀ ଲକଡାଉନ ଘୋଷଣା ହୋଇଥିବାବେଳେ ପିଓକେର ମଧ୍ୟ ଏହାର ପ୍ରଭାବ ପଡିଛି । ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଉନାହାନ୍ତି । ରମଜାନ ମାସ ଚାଲିଥିବାବେଳେ ମସଜିଦ ବନ୍ଦ । ଫଳର ଘରେ ରହୁଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ମିଳୁନାହିଁ । ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଲୋକେ ବେଶୀ ସମସ୍ୟା ଭୋଗୁଛନ୍ତି ।
ଏହାସହ ବେଡି ଉପରେ କୋରୋଡା ମାଡ ଭଳି ଦିନସାରା ଲଗାତାର ବିଦ୍ୟୁତ କାଟ୍ ହେଉଛି । ଫଳରେ ଗରମ ଦାଉ ସହ ବିଭିନ୍ନ କାମରେ ଅସୁବିଧା ହେଉଛି । ପ୍ରତିଦିନ ଅତିକମରେ 10ରୁ 12 ଥର ପାୱାର କଟ୍ ହେଉଛି । ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଲଗାତାର ବିଦ୍ୟୁତ କାଟ୍ ଯୋଗୁଁ ପିଲାଙ୍କ ପାଠପଢାରେ ମଧ୍ୟ ଅସୁବିଧା ହେଉଛି ।
ସବୁଠୁ ବଡ ସମସ୍ୟା ହେଉଛି ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଲୋକଙ୍କୁ ମାସ୍କ, ସାନିଟାଇଜର ମିଳୁନାହିଁ କି ସରକାର କୌଣସି ସହାୟତା କରିନାହାନ୍ତି । ସେହିପରି ମେଡିକାଲରେ ସମସ୍ତ ପ୍ରକାର ଉପକରଣ ଓ ପରୀକ୍ଷା ବ୍ୟବସ୍ଥା ନାହିଁ । ପରିସ୍ଥିତି ଏପରି ହୋଇଛି ଯେ କେହି କୋରୋନା ସଂକ୍ରମଣ ହେଲେ ଏହାର ବ୍ୟାପିବାକୁ ଅଟକାଇବା କଷ୍ଟକର ହୋଇପଡିବ । ଲକଡାଉ ଯୋଗୁଁ ଅନ୍ୟ ଜାଗାକୁ ଗସ୍ତ କରିବା ସମ୍ଭବ ହେଉନାହିଁ ।
https://aninews.in/news/world/asia/double-whammy-for-people-in-pok-as-power-outages-increase-troubles-amid-lockdown20200427181714/