ଇସଲାମାବାଦ: ପାକିସ୍ତାନରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । କେବଳ ଦେଶ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିନାହଁ ବିଦେଶରେ ଫସିଥିବା ଲୋକେ ବି ଦେଶକୁ ଫେରିବାକୁ ଡରୁଛନ୍ତି । ସ୍ବାସ୍ଥ୍ୟ ସମସ୍ୟା ଓ ବିଭିନ୍ନ ସୁବିଧା ନେଇ ପାକ୍ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏପରି ସ୍ଥିତି ଉପୁଜିଛି ।
ଏକ ରିପୋର୍ଟରୁ ଜଣାପଡିଛି ଯେ ବିଦେଶରେ ଥିବା ପ୍ରାୟ ଏକ ଲକ୍ଷରୁ ଅଧିକ ପ୍ରବାସୀ ପାକିସ୍ତାନୀ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ହେଲେ ସ୍ବଦେଶରେ କ୍ବାରେଣ୍ଟାଇନ ସେଣ୍ଟରର ଅବ୍ୟବସ୍ଥା ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନରେ ସମସ୍ୟା ଦେଖାଦେଇଛି । ପ୍ରାୟ 60 ହଜାର ପାକିସ୍ତାନୀ ୟୁଏଇରେ ଅଛନ୍ତି ଯେଉଁମାନେ ଦେଶକୁ ଫେରିବାକୁ ଚାହୁଁଛନ୍ତି । ସେହିପରି 15 ହଜାର ଲୋକେ ସାଉଦି ଆରବରୁ ଫେରିବାକୁ ଇଚ୍ଛୁକ ଅଛନ୍ତି । ସେହିପରି ଅନ୍ୟ ଦେଶମାନଙ୍କରେ ମଧ୍ୟ ବହୁତ ଲୋକ ଫସି ରହିଛନ୍ତି ।
ହେଲେ ପାକିସ୍ତାନରେ ଥିବା କ୍ବାରେଣ୍ଟାଇନ ସେଣ୍ଟର ଅଭାବ ଯୋଗୁଁ ଏମାନେ ଫେରିପାରୁନାହାନ୍ତି । କାରଣ ପାକ୍ ସରକାର ନିୟମ କରିଛନ୍ତି ଯେ ଯିଏ ବିଦେଶରୁ ଫେରିବ ସେ 3 ଦିନ ସେଣ୍ଟରରେ ରହିବା ପରେ ନମୁନା ପରୀକ୍ଷା ହେବ । ଏହାପରେ ରିପୋର୍ଟ ଆଧାରରେ ସମସ୍ତେ ଘରକୁ ଫେରିବେ । କିନ୍ତୁ ପାକିସ୍ତାନରେ ଏତେ ଲୋକଙ୍କ ପାଇଁ ସେଣ୍ଟରର ଅଭାବ ଦେଖାଦେଇଛି । ଫଳରେ ଅନେକ ପ୍ରବାସୀ ପାକିସ୍ତାନୀ ବିଦେଶରେ ଅଟକି ରହିଛନ୍ତି । ବିଭିନ୍ନ ଦେଶରୁ ଏବେ ସୁଦ୍ଧା ପ୍ରାୟ 5 ହଜାରରୁ ଅଧିକ ଲୋକଙ୍କୁ ପାକିସ୍ତାନ ସରକାର ସ୍ବଦେଶ ଫେରାଇଆଣିଲେଣି । ପ୍ରକାଶ ଥାଉ କି ଏବେ ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ପାର କରିଥିବାବେଳେ 580 ଲୋକଙ୍କ ମୃତ୍ୟୁ ହୋଇଛି ।