କରାଚି: ମେ’ 22ରେ କରାଚି ବିମାନବନ୍ଦର ନିକଟରେ ହୋଇଥିବା ପିଆଇଏ ବିମାନ ଦୁର୍ଘଟଣା ଘଟଣାରେ ଦୁଇ ଜଣିଆ ପାକିସ୍ତାନୀ ଦଳ ତଦନ୍ତ ଦାୟିତ୍ବରେ ରହିଛନ୍ତି । ଏହି ଦଳ ଦୁର୍ଘଟଣାଗ୍ରସ୍ତ ବିମାନର କକପିଟ୍ ଭଏସ ଓ ଫ୍ଲାଇଟ ଡାଟା ରେକର୍ଡରରୁ ମିଳିଥିବା ତଥ୍ୟକୁ ଫ୍ରେଞ୍ଚ ଦଳ ଡିକୋଡ କରିବା ପରେ ତାହାକୁ ନେଇ ପାକିସ୍ତାନ ଫେରିଛନ୍ତି । ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ଯାଇ ବିମାନ ଭଗ୍ନାବଶେଷରୁ ମିଳିଥିବା ଏହି ଦୁଇଟି ଡିଭାଇସକୁ ଫ୍ରାନ୍ସର ଲେ ବର୍ଗେଟକୁ ପଠାଯାଇଥିଲା ।
ଏୟାରବସର 11 ଜଣିଆ ଦଳ ଏହି ଦୁଇଟି ଡିଭାଇସକୁ ସୁରକ୍ଷିତ ଭାବେ ଫ୍ରାନ୍ସ ନେଇଥିଲେ । ତେବେ ଏହି ଘଟଣାରେ ଏଯାବତ୍ ହୋଇଥିବା ପ୍ରାଥମିକ ତଦନ୍ତର ତଥ୍ୟକୁ ଜୁନ 22ରେ ପାକିସ୍ତାନୀ ଦଳ ସାର୍ବଜନୀନ କରିବ ବୋଲି ପ୍ରକାଶ କରିଛି । ସେପଟେ ଏୟାରବସର ମୁଖ୍ୟ ଦ୍ରବ୍ୟ ସୁରକ୍ଷା ଅଧିକାରୀ ୟାନନିକ ମାଲିଙ୍ଗେ ଏକ ଚିଠି ମାଧ୍ୟମରେ ଘଟଣାର ତଦନ୍ତ ଜାରି ରହିବା ପାକିସ୍ତାନକୁ ସୂଚିତ କରିଛନ୍ତି । ଏଥିରେ ତଦନ୍ତର ସ୍ଥିତି ଦର୍ଶାଯିବା ସହ ଏୟାରଲାଇନ୍ସମାନଙ୍କ ପାଇଁ କୌଣସି ନୂଆ ସୁରକ୍ଷା ପଦକ୍ଷେପ ନେବା ନେଇ କୌଣସି ସୂଚନା ରହିନଥିଲା ।
ପ୍ରକାଶ ଥାଉ କି, ମେ’ 22ରେ କରାଚି ବିମାନବନ୍ଦର ନିକଟରେ ରନୱେରୁ ଖସି A320 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାରେ ବିମାନର ଦୁଇଟି ଇଞ୍ଜିନ ଫେଲ ହେବା ସହ ଏଥିରେ ମୋଟ 97 ଜଣଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ଦୁଇ ଜଣ ବିମାନଯାତ୍ରୀ ଘଟଣାରେ ବଞ୍ଚି ରହିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଥିଲା ।
@IANS