ଲାହୋର: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନର ସିନ୍ଧ ପ୍ରଦେଶର ହିନ୍ଦୁ ଭିଲ୍ ସମ୍ପ୍ରଦାୟ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନକୁ ବିରୋଧ କରୁଛନ୍ତି। ଅଭିଯୋଗ ହୋଇଛି ଯେ ସେମାନେ ମୁସଲମାନ ଗୋଷ୍ଠୀ ଦ୍ବାରା ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜଣେ ହିନ୍ଦୁ ସାଂସଦ ଏହି ମାମଲାର ତଦନ୍ତ ଦାବି କରିଛନ୍ତି। ପାକିସ୍ତାନ ହିନ୍ଦୁ ପରିଷଦର ମୁଖ୍ୟ ତଥା ତେହେରିକ-ଇ-ଇନସାଫ ପାର୍ଟିର ସାଂସଦ ଡ଼ଃ ରମେଶ ୱଙ୍କୱାନି କହିଛନ୍ତି ଯେ ଏହି ଭିଡିଓରେ ମହିଳା ଓ ଶିଶୁମାନେ ପ୍ଲାକାର୍ଡ, ବ୍ୟାନର ଧରି ତବଲିଗୀ ଜମାତ ଗୋଷ୍ଠୀ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।
ସେ କହିଛନ୍ତି ଯେ ସରକାରଙ୍କ ସଂଖ୍ୟାଲଘୁ ପରିଷଦ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ । କାରଣ ସିନ୍ଧର ଆଭ୍ୟନ୍ତରୀଣ ଅଞ୍ଚଳରେ ହିନ୍ଦୁ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ କରିଆସୁଛି। ସିନ୍ଧ ପ୍ରଦେଶର ହିନ୍ଦୁମାନେ ଅଭିଯୋଗ କରିଛନ୍ତି ଯେ ତବଲିଗୀ ଜମାତ ଗୋଷ୍ଠୀ ମାଟିୟାର ଅଞ୍ଚଳର ନାସୁରପୁର ଗ୍ରାମରେ ସେମାନଙ୍କ ଘର ନଷ୍ଟ କରି ସେମାନଙ୍କୁ ନିର୍ଯାତନା ଦେଇଛନ୍ତି। ଭିଡିଓରେ ଦେଖାଯାଉଛି ଯେ କିଛି ଲୋକ ପାଟି କରି କହୁଛନ୍ତି ଯେ ସେମାନେ ଧର୍ମ ପରିବର୍ତ୍ତନ କରିବା ପରିବର୍ତ୍ତେ ମରିବା ପସନ୍ଦ କରିବେ।