ଇସଲାମାବାଦ: ଭାରତକୁ ପୁଣି ଥିରେ ଫାଙ୍କା ଧମକ ଦେଇଛି ପାକିସ୍ତାନ । ନିଜର ବୟାନକୁ ନେଇ ସର୍ବଦା ବିବାଦରେ ରହିଆସିଥିବା ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦ ଭାରତ ଉପରେ ପରମାଣୁ ବୋମା ପକାଇବା ନେଇ ଧମକ ଦେଇଛନ୍ତି । ଶେଖ ରସିଦ କହିଛନ୍ତି ଯେ ପାକିସ୍ତାନରେ ପରମାଣୁ ବୋମା ଅଛି ଯାହା ଆସାମ ପର୍ଯ୍ୟନ୍ତ ଧ୍ବଂସ କରିପାରିବ । କେବଳ ଏତିକି ନୁହେଁ, ଏହି ପରମାଣୁ ବୋମା ଆକ୍ରମଣରେ ଭାରତର ମୁସଲମାନମାନଙ୍କ କୌଣସି କ୍ଷତି ହେବ ନାହିଁ ବୋଲି ଶେଖ ରସିଦ କହିଛନ୍ତି ।
ଶେଖ ରସିଦ କହିଛନ୍ତି ଯେ ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହା ଏକ ରକ୍ତାକ୍ତ ସଂଘର୍ଷ ତଥା ଶେଷ ଯୁଦ୍ଧ ହେବ। ଶେଖ ରସିଦ ପ୍ରଥମ ଥର ପାଇଁ ଏହି ଧମକ ଦେଇନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଏପରି ବିବୃତ୍ତି ଦେଇଛନ୍ତି। ସେ ପୂର୍ବରୁ ଭାରତର ସିଧାସଳଖ ନାଁ ନନେଇ ପରମାଣୁ ଯୁଦ୍ଧ ନେଇ ଧମକ ଦେଇଥିଲେ।
ଶେଖ ରସିଦ କହିଥିଲେ ଯେ ପାକିସ୍ତାନରେ 125 ଗ୍ରାମ ଏବଂ 250 ଗ୍ରାମର ପରମାଣୁ ବୋମା ଅଛି ଯାହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ କରି ଟାର୍ଗେଟ କରିପାରେ । କେବଳ ଏତିକି ନୁହେଁ ପାକିସ୍ତାନରେ POW ଏବଂ HALFର ପରମାଣୁ ବୋମା ମଧ୍ୟ ଅଛି, ଯାହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ କରିପାରିବ। ଶେଖ ରସିଦଙ୍କ ବିବୃତ୍ତି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଏପରି ବିବୃତ୍ତି ଦେଇ ସେ ନିଜକୁ ପରିହାସ କରନ୍ତି।