ଇସଲାମବାଦ: ପାକିସ୍ତାନ ବାୟୁସେନାରେ ସାମିଲ ହେଲା J-10C ଲଢୁଆ ଜେଟ୍ । ଦେଶର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ ଶୁକ୍ରବାର ପାକିସ୍ତାନ ବାୟୁସେନାରେ ଅତ୍ୟାଧୁନିକ J-10C ଲଢୁଆ ଜେଟ୍ ସାମିଲ କରିଛି(Pakistan Gets China-Made J-10C Fighter Jets) । ପାକ୍ ନିଜ ସହଯୋଗୀ ରାଷ୍ଟ୍ର ଚୀନ ଠାରୁ ଏହି ଜେଟ୍ଗୁଡିକୁ ଆଣିଛି ।
ବାୟୁସେନାର ଲଢୁଆ ଜେଟ୍ଗୁଡିକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମିନହାସ୍ କମ୍ରା ଠାରେ ଥିବା ପାକିସ୍ତାନ ଏୟାର ଫୋର୍ସ(PAF) ବେସ୍ରେ ଏକ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ, ଦୁର୍ଭାଗ୍ୟର ବିଷୟ ଯେ ଏହି ଅଞ୍ଚଳରେ ଅସନ୍ତୁଳନ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଏହାର ମୁକାବିଲା ନିମନ୍ତେ ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ଏହି ଲଢୁଆ ଜେଟ୍ଗୁଡିକ ସାମିଲ କରାଯାଉଛି ।
ଭାରତ ଫ୍ରାନ୍ସରୁ ରାଫେଲ ଫାଇଟର ଜେଟ୍ ଆଣିବାକୁ ଇଙ୍ଗିତ କରି ଇମ୍ରାନ ଖାନ ଏପରି କହିଛନ୍ତି । ଏଥିସହ ମାତ୍ର ଆଠ ମାସର ସ୍ବଳ୍ପ ସମୟ ମଧ୍ୟରେ ଏହି ଅତ୍ୟାଧୁନିକ ଜେଟ୍ ଯୋଗାଇବାକୁ ଚୀନକୁ ଧନ୍ୟବାଦ ସେ ଦେଇଛନ୍ତି । ତେବେ ଏହି ଚୀନ ନିର୍ମିତ J-10C ଜେଟ୍ ଯେକୌଣସି ପ୍ରକାର ବିପଦର ମୁକାବିଲା ପାଇଁ ସୁସଜ୍ଜିତ ଏବଂ ପ୍ରଶିକ୍ଷିତ ବୋଲି ପ୍ରକାଶ କରିଛନ୍ତି ଇମ୍ରାନ ଖାନ ।
ଇମ୍ରାନ ଖାନ ବାୟୁସେନାରେ ଲଢୁଆ ଜେଟ୍ ସାମିଲକୁ ପ୍ରାୟ ୪୦ ବର୍ଷ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି । ଏହାପୂର୍ବରୁ ୪୦ ବର୍ଷ ପୂର୍ବରୁ ଆମେରିକା ନିର୍ମିତ ଏଫ୍-୧୬ ଜେଟ୍ ପାକିସ୍ତାନ ବାୟୁସେନାରେ ସାମିଲ ହୋଇଥିଲା ।