ସିଓଲ: ବଢିବାରେ ଲାଗିଛି ଉତ୍ତର କୋରିଆର ଔଦ୍ଧତ୍ୟ । ଉଭୟ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତିକୁ ଖାତିର ନକରି ନୂଆ ନୂଆ ବାହାନାରେ ଯୁଦ୍ଧ ପରିସ୍ଥିତି ପାଇଁ ଚେଷ୍ଟା ଚଳାଇଛି ଉତ୍ତର କୋରିଆ । ଏନେଇ ଉତ୍ତର କୋରିଆକୁ ସଂଯମତା ରକ୍ଷା କରିବା ସହ ଶାନ୍ତି ଚୁକ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜୈ-ଇନ ।
ସୋମବାର ଆୟୋଜିତ ସାପ୍ତାହିକ ବୈଠକରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ବେଳେ ଉତ୍ତର କୋରିଆ ପାଇଁ ଏପରି ମନ୍ତବ୍ୟ ଦେଇଥିଲେ ମୁନ । 20 ବର୍ଷ ତଳେ ଜୁନ 15ରେ ଉଭୟ ଦେଶର ନେତା କିମ ଡୈ ଜଙ୍ଗ ଓ କିମ ଜଙ୍ଗ ଇଲ ପାରସ୍ପରିକ ବୁଝାମଣାରେ ଆଲୋଚନା ପାଇଁ ଆଗଭର ହୋଇଥିଲେ । ଏହି ଦିନ ଉଭୟ ଦେଶ ମଧ୍ୟରେ ବିବାଦ ଓ ବର୍ଷ ବର୍ଷ ଧରି ଚାଲିଆସିଥିବା ଯୁଦ୍ଧର ଅନ୍ତ ହୋଇ ସୁସମ୍ପର୍କର ସେତୁ ବନ୍ଧା ହୋଇଥିବା ବେଳେ ଏହି ଦିନକୁ ଅତି ଦୁଃଖର ସହ ସ୍ମରଣ କରିଛନ୍ତି ମୁନ ।
ଏଥିପାଇଁ ଉତ୍ତର କୋରିଆର ଆକ୍ରମଣାତ୍ମକ ହାବଭାବ ଦାୟୀ ବୋଲି ସେ କହିଥିଲେ । ଗତ ସପ୍ତାହ ଶେଷ ଆଡକୁ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କ ଭଉଣୀ କିମ ୟୋ ଜଙ୍ଗ ସେନାକୁ ପ୍ରସ୍ତୁତ ରହିବା ସହ ଆକ୍ରମଣ ପାଇଁ ଇଙ୍ଗିତ କରିଥିଲେ । ଯାହା ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତି ବିରୋଧୀ ବୋଲି ମୁନ ପ୍ରକାଶ କରିଥିଲେ । ଏହି ଅବସରରେ 2018 ମସିହାରେ 80 ମିଲିୟନ ଲୋକଙ୍କ ସାମ୍ନାରେ କିମ ଜଙ୍ଗ ଉନ ଓ ମୁନ ଜୈ-ଇନ ନେଇଥିବା ଶପଥକୁ ମୁନ ମନେ ପକାଇଥିଲେ ।
ତେଣୁ ବର୍ତ୍ତମାନ ସମୟରେ କ୍ରୋଧାନ୍ବିତ ହେବା ବଦଳରେ ଶାନ୍ତିରେ ଆଲୋଚନା କରି ସମାଧାନ କାଢିବା ପାଇଁ ମୁନ ଉତ୍ତର କୋରିଆକୁ ପରାମର୍ଶ ଦେଇଛନ୍ତି । ସେପଟେ କିଛି ଦିନ ତଳେ ଉତ୍ତର କୋରିଆର କେତେକ ବିଶ୍ବାସଘାତକ ଦକ୍ଷିଣ କୋରିଆ ପହଞ୍ଚି ସେଠାରେ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ମନ୍ତବ୍ୟର ପ୍ରଚାର କରିଥିବା ଉତ୍ତର କୋରିଆ ଜାଣିବାକୁ ପାଇଥିଲା । ଏନେଇ ନିଜର ପୂର୍ବ ଚୁକ୍ତି ମୁତାବକ ଉତ୍ତର କୋରିଆ ଉଭୟ ଦେଶ ମଧ୍ୟରେ ଥିବା ଯୋଗାଯୋଗ କେନ୍ଦ୍ର ସହ ସମ୍ପର୍କର ସମସ୍ତ ମାଧ୍ୟମକୁ ବନ୍ଦ କରିଛି । ଏହାକୁ ନେଇ ମଧ୍ୟ ମୁନ କ୍ଷୋଭ ପ୍ରକାଶ କରିଥିବା ଜଣା ପଡିଛି ।
@IANS