ଇସଲାମାବାଦ: ଗତ ଶୁକ୍ରବାର କରାଚିରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଗଠିତ ତଦନ୍ତକାରୀ ଦଳ ଉପରେ ପ୍ରଶ୍ନ । ପାକିସ୍ତାନ ସରକାର ଦ୍ବାରା ଗଠିତ ଯାଞ୍ଚ ଦଳରେ ବାୟୁସେନାର କଡା ହସ୍ତକ୍ଷେପ ଏବଂ କମର୍ସିଆଲ ପାଇଲଟ୍ ଟିମର ଜଣେ ବି ସଦସ୍ୟ ଏହି ଯାଞ୍ଚ ଟିମରେ ଅନୁପସ୍ଥିତି ଉପରେ ବିଶେଷଜ୍ଞ ମାନେ ପ୍ରଶ୍ନ ଉଠାଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏୟାରଲାଇନ୍ସ ପାଇଲଟ୍ସ ଆସୋସିଏସନର ସଚିବ କ୍ୟାପଟେନ ଇମ୍ରାନ ନରେଜୋ କହିଛନ୍ତି ଯେ କମର୍ସିଆଲ ପାଇଲଟଙ୍କ ପ୍ରତିନିଧିତ୍ବ ନ ଥିବାରୁ ତଦନ୍ତ ଟିମରେ ସନ୍ତୁଳନ ନାହିଁ । ସେ କହିଛନ୍ତି ଯେ କମର୍ସିଆଲ ଜେଟ ସହିତ ଦୁର୍ଘଟଣାକୁ କମର୍ସିଆଲ ପାଇଲଟ ଅଧିକ ଭଲ ଭାବରେ ବୁଝିପାରିବେ ।
କେନ୍ଦ୍ର ସରକାର ଏକ ଚାରି ଜଣିଆ ତଦନ୍ତକାରୀ ଦଳ ଗଠନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଚାରିଜଣ ବିମାନ ଦୁର୍ଘଟଣା ଅନୁସନ୍ଧାନ ବୋର୍ଡର ସଦସ୍ୟ, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ବାୟୁସେନା ଅଧିକାରୀ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟଙ୍କୁ ପାକିସ୍ତାନ ବାୟୁସେନାର ସୁରକ୍ଷା ବୋର୍ଡରୁ ନିଆଯାଇଛି । ସେଠାରେ କୌଣସି କମର୍ସିଆଲ ପାଇଲଟ ନାହାଁନ୍ତି । ଅନୁସନ୍ଧାନକାରୀ ଦଳକୁ 'ଖୁବ୍ କମ୍ ସମୟ ମଧ୍ୟରେ' ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ପୂର୍ବତନ ଅଧିକାରୀ ତଥା ପୂର୍ବତନ ପାଇଲଟ କହିଛନ୍ତି ଯେ ଦୁର୍ଘଟଣାର ବିମାନ ବିଷୟରେ ଅବଗତ ଥିବା ପାଇଲଟଙ୍କ ଅନୁପସ୍ଥିତି ଯୋଗୁଁ ତଦନ୍ତ ସବୁବେଳେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ସୂଚନା ଯୋଗ୍ୟ ଯେ, ଶୁକ୍ରବାର କରାଚିର ଏକ ଜନବସତି ଉପରେ ପିଆଇଏର ବିମାନ ଖସି ପଡିଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା 99 ଜଣଙ୍କ ମଧ୍ୟରୁ 97 ଜଣଙ୍କର ମୃତ୍ୟୁ ଘଟିଛି ।
@IANS