ଜେରୁଜେଲମ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଇସ୍ରାଏଲ ମଧ୍ୟରେ ଶାନ୍ତି ଚୁକ୍ତି ପରେ ସୋମବାର ଏକ ଆମେରିକୀୟ-ଇସ୍ରାଏଲ୍ ପ୍ରତିନିଧୀ ଦଳ ଦୁଇ ଦେଶ ମଧ୍ୟରେ ପ୍ରଥମ ବାଣିଜ୍ୟିକ ବିମାନ ଜରିଆରେ ତେଲଅବିବରୁ ଆବୁଧାବି ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଏହି ପ୍ରତିନିଧି ଦଳ ତେଲଅବିବର ବେନ ଗୁରିଅନ ବିମାନବନ୍ଦରରୁ EI AI ବିମାନରେ ଆବୁଧାବି ଅଭିମୁଖେ ଯାତ୍ରା କରିଥିଲେ। ଆମେରିକାର ପ୍ରତିନିଧି ଦଳର ନେତୃତ୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ବାଇଁ ତଥା ହ୍ବାଇଟ ହାଉସର ପରାମର୍ଶଦାତା ଜାରେଡ କୁଶନ ନେଇଛନ୍ତି । ତେବେ ବିମାନର କକ୍ପିଟରେ ଆରବୀ, ଇଂରାଜୀ ଏବଂ ହିବ୍ରୋ ଭାଷାରେ 'ଶାନ୍ତି' ବୋଲି ଲେଖାଯାଇଛି।
ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବାକୁ 13 ଅଗଷ୍ଟରେ ଏହି ଚୁକ୍ତିନାମା ଘୋଷଣା କରାଯାଇଥିଲା। ଏହାପରେ ୟୁଏଇ ଗଲ୍ଫର ପ୍ରଥମ ଦେଶ ଏବଂ ଆରବ ଦେଶମାନଙ୍କରେ ତୃତୀୟ ଦେଶ ହଭାବରେ ଇସ୍ରାଏଲ ସହିତ ସମ୍ପର୍କକୁ ସ୍ୱାଭାବିକ କରିଥିଲା।
ଇସ୍ରାଏଲର ଜାତୀୟ ସୁରକ୍ଷା ପରାମର୍ଶଦାତା ମିର ବେନ ଶାବତ ଯିହୁଦୀ ଇସ୍ରାଏଲ ପକ୍ଷରୁ ଏହି ଉଡାଣ ଜରିଆରେ ଆବୁଧାବିରେ ପହଞ୍ଚିଥିବା ବରିଷ୍ଠ ବ୍ୟକ୍ତି ହୋଇଛନ୍ତି । ତେବେ ଆବୁଧାବିରେ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମରେ ବିମାନ ଚଳାଚଳ, ପର୍ଯ୍ୟଟନ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ନିରାପତ୍ତା ସମେତ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହେବ ।
ଏହି ବିମାନକୁ ଇସ୍ରାଏଲ ପକ୍ଷରୁ ସାଉଦି ଆରବର ଆକାଶ ସୀମା ପାର ହେବାକୁ ଅନୁମତି ଦିଆଯାଇଥିବା ଜଣାପଡିଛି। ତେବେ ଇସ୍ରାଏଲ ବିମାନବନ୍ଦର ପ୍ରାଧିକରଣର ଅଧିକାରୀମାନେ ଏହି ରିପୋର୍ଟକୁ ନିଶ୍ଚିତ କରିନାହାଁନ୍ତି।