ତେହେରାନ: ସମୂଦ୍ରୀତଟରେ ଲକ୍ଷ୍ୟଭେଦ କରିବାକୁ ଯାଇ ନିଜରୁ ଜାହାଜରେ ମିସାଇଲ ମାଡ କରିଛି ଇରାନ । ଓମାନ ଗଲ୍ଫର ଅତି ନିକଟରେ ଜାହାଜ ଥିବାରୁ ମିସାଇଲଟି ଜାହାଜରେ ମାଡ ହୋଇଥିଲା । ଘଟଣାଟି ରବିବାର ଘଟିଥିବା ବେଳେ ସୋମବାର ଏହାର ବିବରଣୀ ଦିଆଯାଇଛି । ଏଥିରେ 19ଜଣ ନାବିକଙ୍କ ମୃତ୍ୟୁ ହେବା ସହ 15 ଜଣ କ୍ଷତାକ୍ତ ହୋଇଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ହେଣ୍ଡିଜାନ-କ୍ଲାସ ସପୋର୍ଟ ଜାହାଜ ‘କୋନାରକ’ ମିସାଇଲ ପରୀକ୍ଷଣର ଟାର୍ଗେଟ ସ୍ଥାନର ଅତି ନିକଟରେ ରହିଥିଲା । ଏହା ଅନ୍ୟ ଜାହାଜମାନଙ୍କ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଥିବା ବେଳେ କୋନାରକ ସହ ଦୁର୍ଘଟଣାବଶତଃ ମାଡ ହୋଇଥିଲା । ତେହେରାନଠାରୁ 1270 କିଲୋମିଟର ଦୂରରେ ଥିବା ଜସ୍କ ବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଆହତଙ୍କ ମଧ୍ୟରୁ 12 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅନ୍ୟ 3 ଜଣ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି ।
ସୂଚନା ଅନୁଯାଯୀ 47 ମିଟର ଲମ୍ବ ବିଶିଷ୍ଟ ଏହି ଡଚ୍ ଜାହାଜଟି 1988ରୁ କାର୍ଯ୍ୟକାରୀ ହୋଇଥିଲା । ଏହା 40ଟନ ପର୍ଯ୍ୟନ୍ତ ଓଜନ ବହନ କରିବାର କ୍ଷମତା ରଖେ । ତେବେ ଏହା ସାଧାରଣତଃ 20 ଜଣ ନାବିକଙ୍କୁ ନେଇ ପରିଚାଳିତ ହୋଇଥାଏ । ତେଣେ ପର୍ସିଆନ ଗଲ୍ଫର ଅଣଓସାରିଆ ଘାଟୀରେ ଇରାନ ସବୁବେଳେ ମିସାଇଲ ପରୀକ୍ଷା କରିବାରୁ ନଜିର ରହିଆସିଛି ।