ତେହେରାନ: କିଛି ଦିନ ତଳେ ସୋସିଆଲ ମିଡିଆରେ ତେଜିଥିଲା ଇରାନ ଓ ଆଫଗାନିସ୍ତାନର ତିକ୍ତତା । ଏହି ତିକ୍ତତା କାରଣରୁ ଇରାନୀ ବର୍ଡର ଗାର୍ଡ ଦେଶରେ ଅନୁପ୍ରବେଶ କରୁଥିବା କିଛି ଆଫଗାନୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ ନଦୀରେ ଫିଙ୍ଗିଦେଇଥିବା ଖବର ଚର୍ଚ୍ଚାର ବିନ୍ଦୁ ପାଲଟିଥିଲା । ହେଲେ ଏହି ଘଟଣା ନେଇ ନୀରବ ଥିବା ଇରାନ ସୋମବାର ନିଜ ପ୍ରତିକ୍ରିୟା ପ୍ରକାଶ କରିଛି । ଇରାନ ଘଟଣାରେ ସ୍ପଷ୍ଟୋକ୍ତି ଦେଇ କହିଛି କି ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର । ଇରାନୀ ବର୍ଡର ଗାର୍ଡ ଏପରି କୌଣସି କାର୍ଯ୍ୟକଳାପରେ ଲିପ୍ତ ନାହାଁନ୍ତି ।
ସୋମବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅବ୍ବାସ ମୌସଭୀ । ସେ କହିଥିଲେ କି ଆଫଗାନ ମାଟିରେ ଘଟିଥିବା ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଇରାନୀ ସମ୍ପୃକ୍ତ ଆଫଗାନୀ ଅଧିକାରୀଙ୍କ ସହ ଆଲୋଚନା କରିଛି । ଏହାଦ୍ବାରା ଆଫଗାନ ପକ୍ଷରୁ ଘଟଣାର ସ୍ପଷ୍ଟୋକ୍ତି ମିଳିଛି । ଯାହାକୁ ଖଣ୍ଡନ କରିଛି ଇରାନ । ସେପଟେ ଶନିବାର ଘଟଣା ସମ୍ପର୍କରେ ତଦନ୍ତ ବିବରଣୀ ଦେଇ ଆଫଗାନ ବୈଦେଶିକ ମନ୍ତ୍ରୀ କହିଥିଲେ କି ପ୍ରାୟ 70 ଆଫଗାନୀ ଇରାନରେ ହେରାତ ସୀମା ପ୍ରାନ୍ତ ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସେମାନଙ୍କୁ ଇରାନୀ ବର୍ଡର ଗାର୍ଡ ଆକ୍ରମଣ କରିଥିଲେ । ଏହାପରେ କ୍ଷତାକ୍ତ ଆଫଗାନୀଙ୍କୁ ସେମାନେ ନିକଟସ୍ଥ ହରିରୁଡ ନଦୀକୁ ଫୋପାଡି ଦେଇଥିଲେ ।
ହରିରୁଡ ନଦୀର ଘାଟି ଆଫଗାନୀସ୍ତାନ, ଇରାନ ଓ ତୁର୍କମେନିସ୍ତାନକୁ ସଂଯୋଗ କରିଥାଏ । ତେବେ ଆକ୍ରମଣ ଖବର ପାଇବା ପରେ ଆଫଗାନିସ୍ତାନ ଏକ ସର୍ଚ୍ଚ ପାର୍ଟି ସମ୍ପୃକ୍ତ ଘାଟିକୁ ପଠାଇଥିଲା । ଯେଉଁଠାରେ ଆଫଗାନୀମାନଙ୍କୁ ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ ଲକ୍ଷ ଲକ୍ଷ ଆଫଗାନୀ ଚାକିରୀ ସନ୍ଧାନରେ ପ୍ରତିଦିନ ଇରାନରେ ପ୍ରବେଶ କରିଥାଆନ୍ତି । ଯେଉଁଥିରେ ସାମିଲ ରହିଛନ୍ତି ଅନେକ ଶରଣାର୍ଥୀ ଓ ଦିନ ମଜୁରିଆ ।
@IANS