ଦୁବାଇ: ବିଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ନେବାକୁ ଯାଉଛି ଆଉ ଏକ ବଡ ପଦକ୍ଷେପ । ଏନେଇ ୟୁଏଇରୁ 9ଟି ନୂଆ ବିମାନ ସେବା ଆରମ୍ଭ କରିବା ନେଇ ଶୁକ୍ରବାର ଭାରତ ପକ୍ଷରୁ ଘୋଷଣା କରାଯାଇଛି । ଏହି ସେବା ପାଇଁ ବର୍ତ୍ତମାନ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଭାରତ ପକ୍ଷରୁ ଏୟାର ଇଣ୍ଡିଆ ଏହି ସେବା ଯୋଗାଇବା ନେଇ ସ୍ପଷ୍ଟ ହୋଇଛି ।
ବନ୍ଦେ ଭାରତ ମିଶନ ଅଧିନରେ ଏହି ସେବା ଆରମ୍ଭ ହେବ । ତେବେ ଏହି ବିମାନ ସେବାର ଟିକେଟ ବିକ୍ରି ପାଇଁ ଶୁ୍କ୍ରବାରଠାରୁ ସେଲ ଆରମ୍ଭ ହୋଇଛି । ଜୁଲାଇ 9ରୁ 14 ମଧ୍ୟରେ ଏହି ବିମାନଗୁଡିକ ଶାରଜାହାଠାରୁ ଉଡାଣ ଭରିବା ନେଇ ଜଣା ପଡିଛି । ଭାରତରେ ମଦୁରାଇ, କୋଏମ୍ବାଟୁର, ଥିରୁଅନନ୍ତପୁରମ, ଥିରୁଚିରାପ୍ପଲୀ, କୋଚି ଓ ହାଇଦ୍ରାବାଦକୁ ବିମାନଗୁଡିକ ଉଡାଣ ଭରିବ ।
ତେବେ ଭାରତ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ଏଥିପାଇଁ ୟୁଏଇରେ ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ହେବ । ଏହା ବ୍ୟତୀତ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ମଧ୍ୟ ଚାହିଁଲେ ପ୍ରବାସୀମାନେ ଯୋଗାଯୋଗ କରିପାରିବେ । ଏହାପରେ ପ୍ରବାସୀମାନଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ବୁକିଂ ଅଫିସରେ ଉଭୟ ଅଫଲାଇନ ଓ ଅନଲାଇନ ପ୍ଲାଟଫର୍ମରେ ଟିକେଟ ବୁକ କରିପାରିବେ ।
ପ୍ରବାସୀମାନଙ୍କୁ ନିଜ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଦାଖଲ କରିବା ସହ ନିଜ ପାସପୋର୍ଟର ସଠିକ୍ ତଥ୍ୟ ଓ ଯୋଗାଯୋଗ ତଥ୍ୟ ଦେବାକୁ ହେବ । ନଚେତ୍ ଟିକେଟ କ୍ୟାନସେଲ ମଧ୍ୟ କରାଯାଇପାରେ । ଏହି ସେବାରେ 75 ପ୍ରତିଶତ ଟିକେଟର ସେଲ ଚାଲିଥିବା ବେଳେ ବଳକା 25 ପ୍ରତିଶତକୁ ଆପାତକାଳୀନ ସେବା ପାଇଁ ସଂରକ୍ଷିତ ରଖାଯାଇଛି ।
@IANS