କରାଚି: ପାକିସ୍ତାନ ଉପରେ ଦିନକୁ ଦିନ ଏଫଏଟିଏଫ୍ର କଡା ଆଭିମୁଖ୍ୟ ଜାରି ରହିଛି । ଆତଙ୍କବାଦ ଆର୍ଥିକ ସହାୟତା ଏବଂ ମନି ଲଣ୍ଡରିଂକୁ ରୋକିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଆନ୍ତଃ ସରକାରୀ ନିରୀକ୍ଷକ, ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ପାକ୍ ପାଇଁ ନୂଆ ସର୍ତ୍ତାବଳୀ ଲଗାଇଛି । ଏହାସହ ଏହି ସର୍ତ୍ତକୁ ପାକ୍କୁ ଯେନତେନ ପ୍ରକାରରେ ପାଳନ କରିବାକୁ ପଡିବ ।
ପାକିସ୍ତାନରେ ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଫଏଟିଏଫର ନୂତନ ସର୍ତ୍ତାବଳୀ ଅନୁଯାୟୀ ପାକିସ୍ତାନକୁ ବିଦେଶ ଯାତ୍ରା କରୁଥିବା ପାକିସ୍ତାନୀମାନଙ୍କର ଏକ ଡାଟା ବ୍ୟାଙ୍କ ପ୍ରସ୍ତୁତ କରି ରଖିବାକୁ ପଡିବ । ଏହି ଡାଟାରେ ବିଦେଶ ଯାତ୍ରା ସମୟରେ କେତେ ମୁଦ୍ରା ଓ ମୂଲ୍ୟବାନ ସାମଗ୍ରୀ ନେଇ ଯାଉଛନ୍ତି ତାର ଏକ ତାଲିକା ପ୍ରଦାନ କରିବାକୁ ପଡିବ ।
ଏହାସହ ବିଦେଶ ଯାଉଥିବା ବ୍ୟକ୍ତିଙ୍କ ବ୍ୟକ୍ତିଙ୍କ ଟିକେଟ୍ ଏବଂ ବିଦେଶରେ ଖର୍ଚ୍ଚ ହୋଇଥିବା ଅର୍ଥର ସବିଶେଷ ତଥ୍ୟ ମଧ୍ୟ ଦେବାକୁ ପଡ଼ିବ ବୋଲି ଏଫଏଟିଏଫ କହିଛି । ବିଦେଶରେ ଖର୍ଚ୍ଚ ହୋଇଥିବା ଟଙ୍କା କେଉଁଠୁ ମିଳିଲା ତାହା ମଧ୍ୟ ଜଣାଇବାକୁ ପଡିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ପାରିବାରିକ ବ୍ୟବସାୟର ବିବରଣୀ ମଧ୍ୟ ଦେବାକୁ ପଡିବ |
ଉଲ୍ଲେଖନୀୟ ଯେ, ସମସ୍ତ ଉଦ୍ୟମ ସତ୍ତ୍ବେ ପାକିସ୍ତାନ ଏଫଏଟିଏଫର ଧୂସର ତାଲିକାରୁ ବାହାରି ପାରିନାହିଁ | ଗତ ମାସରେ ପ୍ୟାରିସରେ ଅନୁଷ୍ଠିତ ଏଫଏଟିଏଫ ବୈଠକରେ ପାକିସ୍ତାନକୁ ଧୂସର ତାଲିକାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏହାସହ ପାକିସ୍ତାନକୁ ମାତ୍ର ଚାରିମାସ ସମୟ ଦେଇ ଚେତାବନୀ ଦେଇଛି ଯେ ଯଦି ଜୁନ୍ 2020 ସୁଦ୍ଧା ଆତଙ୍କବାଦ ଆର୍ଥିକ ତଥା ଅର୍ଥ ହେରଫେର ବନ୍ଦ କରିବା ପାଇଁ ଏଫଏଟିଏଫର ସର୍ତ୍ତାନୁଯାୟୀ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ନହୁଏ ତେବେ ଏହାକୁ ଧୂସର ତାଲିକାରୁ ହଟାଇ କଳା ତାଲିକାରେ ରଖାଯାଇପାରିବ । ଯାହାର ପରିଣାମ ପାକିସ୍ତାନର ଅର୍ଥନୀତି ପାଇଁ ଅତ୍ୟନ୍ତ ସାଂଘାତିକ ହେବ।
@IANSଇନପୁଟ